ଓଡିଶା

odisha

By

Published : Oct 16, 2019, 10:19 PM IST

ETV Bharat / city

ଶରଣକୂଳ କଙ୍ଗାରୁ କୋର୍ଟ ପ୍ରସଙ୍ଗ; ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

ଶରଣ କୂଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମରେ କଙ୍ଗାରୁ କୋର୍ଟ ବସିବା ଅଭିଯୋଗରେ ପ୍ରଶାସନର ନିଷ୍କ୍ରିୟତା ନେଇ ରିପୋର୍ଟ ମାଗିଲା ମାନବଧିକାର କମିଶନ ।

ଫାଇଲ ଫଟୋ

କଟକ: ନୟାଗଡ଼ ଜିଲ୍ଲା ଶରଣ କୂଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମରେ କଙ୍ଗାରୁ କୋର୍ଟ ବସିବା ଅଭିଯୋଗ । ଗ୍ରାମର ୧୫ ରୁ ଅଧିକ ପରିବାରକୁ ବାହାର କରିଦେବା ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନଵଧିକାର କମିଶନ । ୨୦୦୭ରୁ ଏହି ପରିବାର ଲୋକଙ୍କୁ ଗ୍ରାମରେ ପଶିବାକୁ ଦିଆଯାଉନାହିଁ । ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ଏନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଛନ୍ତି ।

ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

କମିଶନ ଏହାକୁ ଗ୍ରହଣ କରି ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିବା ସହ ଏହି ମାମଲାରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାଇବାକୁ କମିଶନ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ୨୦୦୭ ମସିହାରେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଗୋପବନ୍ଧୁ ଜେନା, ରବି ପ୍ରଧାନ, ଯୁଧିଷ୍ଠିର କରଣ, ନନ୍ଦ କିଶୋର ଜେନା, ବ୍ରଜ କିଶୋର ଜେନାଙ୍କ ସମେତ ୧୫ ରୁ ଅଧିକ ପରିବାରକୁ ବାସନ୍ଦ କରାଯାଇଥିଲା ।

ଏମିତିକି ସେମାନଙ୍କୁ କୌଣସି କାମରେ ସହଯୋଗ ମଧ୍ୟ କରାଯାଇନଥିଲା । ଗ୍ରାମର କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଗ୍ରାମରୁ ହଇରାଣ ହରକତ କରିବାରୁ ସେମାନେ ଗାଁ ଛାଡିବାକୁ ବାଧ୍ୟ ହାଇଥିଲେ । ଶରଣ କୂଳ ଥାନା, ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେମାନଙ୍କ ଗୁହାରି କେହି ଶୁଣି ନଥିଲେ ।

ଶେଷରେ ବାଧ୍ୟହୋଇ ଏନେଇ ଆବେଦନକାରୀ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ । କମିଶନ ଏହାକୁ ଗୁରୁତ୍ବର ସହ ନେଇ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି କମିଶନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details