କଟକ: ଦୀର୍ଘଦିନ ପରେ ନିଜ ଜନ୍ମମାଟିକୁ ଫେରିଗଲା ଜଗା। ଯୋଡ଼ା ମୁଣ୍ଡ ଶିଶୁ ଜଗାକୁ ଫୁଲବାଣୀ ନେବାକୁ ଏକ ତିନି ଜଣିଆ ଡାକ୍ତରୀ ଦଳ କଟକ ଏସସିବି ପହଞ୍ଚି ଥିଲା। ଏହି ଟିମରେ ଦୁଇ ଜଣ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ରହିଥିଲେ। ଫୁଲବାଣୀରୁ ଆସିଥିବା ଏହି ସ୍ବତନ୍ତ୍ର ଡାକ୍ତରୀ ଦଳ ଜଗାର ଚିକିତ୍ସା ଓ ଚିକିତ୍ସାପରେ ଉନ୍ନତି ସମ୍ପର୍କରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲା। ଏହାପରେ 108 ଆମ୍ବୁଲାନ୍ସ ଯୋଗେ ଜଗାକୁ ଏସସିବିରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଆଗକୁ ସେଠାରେ ହିଁ ଜଗାର ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରାଯିବ।
ଜଗାକୁ ଫେରାଇ ନେବାକୁ କନ୍ଧମାଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି(ସୋମବାର) ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଜଗାର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ସେ ହସ୍ପିଟାଲରୁ ଡିସଚାର୍ଜ ପାଇଁ ସମ୍ପୂର୍ଣ୍ଣ ଫିଟ ଅଛି। ଏନେଇ ରାଜ୍ୟ ସରକାରଙ୍କୁ ଏସସିବି କର୍ତ୍ତୃପକ୍ଷ ଅବଗତ ରାଇଥିଲେ। ଜଗାର ବାପା ମାଆ ମଧ୍ୟ ତାକୁ ଡିସଚାର୍ଜ କରିବା ପାଇଁ ଏସସିବି ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ।