କଟକ: ଭାରତ ମାତାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଓଡିଆ ପୁଅଙ୍କ ତାଲିକା ବେଶ ଲମ୍ବା । ଦେଶର ସାର୍ବଭୌମତ୍ୟ ଓ ଅଖଣ୍ଡତା ପାଇଁ ହସି ହସି ନିଜ ଜୀବନଙ୍କୁ ବଳି ପକାଇଥାନ୍ତି ଏମାନେ । ଏହାର ପୁନଃ ଏକ ଜ୍ବଳନ୍ତ ଏବଂ ଅନନ୍ୟ ଉଦାହରଣ ଗୁରୁବାର ପୁଲୱାମା ଆତଙ୍କି ହମଲାରେ ଦେଖିବାକୁ ମିଳିଛି । ମା' ମାଟିର ସୁରକ୍ଷା ପାଇଁ ଶହୀଦ ହୋଇଛନ୍ତି ଦୁଇ ଓଡିଶା ଯବାନ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା ।
କଟକ ନିଆଳି ବ୍ଲକ ରତନପୁର ଗାଁ ପୁଅ ମନୋଜ । ୨୦୦୬ ମସିହାରେ ସେ ସିଆର୍ପିଏଫ୍ରେ ଯୋଗ ଦେଇଥିଲେ । ଛୁଟିରେ ଆସି ସପ୍ତାହେ ତଳେ କର୍ମକ୍ଷେତ୍ରକୁ ଫେରିଥିଲେ ବୋଲି କହିଛନ୍ତି ଜୟପୁରରେ ରହୁଥିବା ମନୋଜଙ୍କ ଭିଣୋଇ । ଆଉ ଗତକାଲିର ହମଲାରେ ସେ ଶହୀଦ ହୋଇଛନ୍ତି । ଗୁମୁରୁ ଗୁମୁରି କାନ୍ଦୁଛି ଗାଁ ମାଟି ରତନପୁର । ସେପଟେ ଶହୀଦ ହୋଇଥିବା ଅନ୍ୟ ଓଡିଆ ପୁଅ ପ୍ରସନ୍ନଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡିଛି ।