କଟକ: ଭାରତ ସରକାରଙ୍କ କୃଷକ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ପକ୍ଷରୁ ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ ନେଇ ଗଠିତ ଆଞ୍ଚଳିକ କମିଟି-୨ ର ୨୬ ତମ ବୈଠକ କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲ ।
ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ICARର ଆଞ୍ଚଳିକ କମିଟି ବୈଠକ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ କୃଷି, ପଶୁ ପାଳନ ଓ ମାଛ ଚାଷର ସମସ୍ୟା ଗୁଡିକ ପରୀକ୍ଷା କରିବା । ଓ ଆସନ୍ତା ଦୁଇ ବର୍ଷ ପାଇଁ ଦେଶର ବିଭିନ୍ନ ଏଗ୍ରୋ ଇକୋଲୋଜିକାଲ ଅଞ୍ଚଳର ଅନୁସନ୍ଧାନ ଓ ସମ୍ପ୍ରସାରଣ ଶିକ୍ଷାର ତାଲିକା ପ୍ରସ୍ତୁତ କରିବା । ଏହାସହ କୃଷି ଓ ପ୍ରଯୁକ୍ତିବିଦ୍ୟାର ମୂଲ୍ୟାଙ୍କନ, ପରିଶୋଧନ ଓ ସ୍ଥାନାନ୍ତର କ୍ଷେତ୍ରରେ ଜାତୀୟସ୍ତରରେ ଏକ ବିବରଣୀ ପ୍ରଦାନ କରିବା । ପ୍ରତି ଦୁଇ ବର୍ଷରେ ICAR ପକ୍ଷରୁ ଏହି ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥାଏ ।
ଏହି ବୈଠକରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ କହିଛନ୍ତି, "ଓଡିଶା ବନ୍ୟା, ମରୁଡି, ଘୁର୍ଣ୍ଣିବଳୟ, ରୋଗକୀଟ ଓ ପ୍ରାକୃତିକ ଦୁର୍ବିପାକରେ ପରିପୂର୍ଣ୍ଣ । ଯଦି ବିଗତ ୧୦୦ ବର୍ଷକୁ ଆକଳନ କରାଯାଏ, ତେବେ ୯୦ ବର୍ଷ କିଛି ନା କିଛି ପ୍ରାକୃତିକ ଦୁର୍ବିପାକ ବିପର୍ଯ୍ୟୟ ଘଟଣା ସାମ୍ନାକୁ ଆସିଛି । ତେବେ ସମୟ ଆସିଛି ଏହାର ସମାଧାନ ରୂପକ କିଛି ନିଷ୍କର୍ଷ ଆସିବା ଆବଶ୍ୟକ । ପ୍ରତିକୂଳ ଜଳବାୟୁ ଯୋଗୁଁ ଓଡିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ ।" ତେଣୁ ଏପରି ସ୍ଥଳେ କୃଷକ ମାନଙ୍କୁ ନୂତନ ଜଳବାୟୁ ପ୍ରତିରୋଧକ ପ୍ରଯୁକ୍ତିବିଦ୍ୟାର ବିକାଶ ହେବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡଃ ହିମାଂଶୁ ପାଠକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିପରି ଅଧିକରୁ ଅଧିକ ଚାଷୀ ଲାଭବାନ ହେବେ, ତାହା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଛନ୍ତି, "ମୂର୍ତ୍ତିକାର ଗୁଣବତା, ସାରର କମ ବ୍ୟବହାର, ରୋଗକୀଟ ସଂକ୍ରମଣ ଓ ମୌସୁମୀ ବର୍ଷା ଉପରେ ଅଧିକ ନିର୍ଭରଶୀଳ ହେବାରୁ ଅନେକ ଆଞ୍ଚଳରେ ନିମ୍ନ ଉତ୍ପାଦନ ହେଉଛି । ଯାହା ଏକ ଉଦବେଗର ବିଷୟ ।" ତେଣୁ ଜଳସେଚନ ଏହି ଦିଗରେ ବେଶ ସହାୟକ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, କଟକ