କଟକ:ପାଞ୍ଚଟି ତାରିଖରେ ଭରଣପୋଷଣ ମାମଲାର ଶୁଣାଣି ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ । ସିଆରପିସିର ଧାରା ୧୨୫ରେ ଦାୟର ଭରଣପୋଷଣ ମାମଲାର ପାଞ୍ଚଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ମାମଲାର ଶୁଣାଣି ୫ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ମତ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଗୋଟିଏ ତାରିଖରେ ନୋଟିସ୍ ଜାରି କରାଯିବ । ପରବର୍ତ୍ତୀ ତାରିଖରେ ପ୍ରତିପକ୍ଷ ଅଦାଲତରେ ହାଜର ହେବା ସହିତ ଆପତ୍ତି ଦାଖଲ କରିବା ଉଚିତ୍ । ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷୀ ଦେବାକୁ ଚାହିଁବେ ତେବେ ଆଉ ଏକ ତାରିଖ ମଞ୍ଜୁର କରାଯାଇ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ । ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେବ । ଯଦି କୌଣସି ପକ୍ଷ ସାକ୍ଷୀ ଦେବାକୁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖରେ ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ । ଏପରି ସ୍ଥିତିରେ ଚତୁର୍ଥ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ଏଭଳି ଧରଣର ସଂଖ୍ୟାଧିକ ମାମଲା ବିଚାରାଧୀନ ଥିବା ଘଟଣାକୁ ଦୃଷ୍ଟିରେ ରଖି ଏପରି ଗାଇଡଲାଇନ୍ ଜାରି କରାଯାଇଥିବା ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।