କଟକ: ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚାଲୁଥିବା ଯୋଗୁଁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏ ନେଇ ଆଗତ ଜନସ୍ବାର୍ଥ ମାମଲାରେ ଆଜି କୋର୍ଟରେ ହାଜର ହେବେ ଉନ୍ନୟନ କତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଭର୍ଚୁଆଲ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୋଟର ବୋଟ ଚଳାଇବା ପାଇଁ କିଏ କେବେଠାରୁ ଅନୁମତି ଦେଇଛି ବୋଲି ସେ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ତେବେ ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଡିଏଫଓ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ପୂର୍ବରୁ ନୋଟିସ ଜାରି କରିଛନ୍ତି କୋର୍ଟ । ମଙ୍ଗଳାଯୋଡି ଅଞ୍ଚଳରେ ଏଭଳି ମୋଟର ବୋଟ ଚଳାଇ ମାଛ ଧରା ଯାଉଥିବାରୁ ବୋଟର ଶବ୍ଦ ଯୋଗୁଁ ପକ୍ଷୀମାନେ ଫେରି ଯାଉଥିବା ମାମଲାରେ ଦର୍ଶାଯାଇଛି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦିବାକର ବେହେରା ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି ।
ମଙ୍ଗଳାଯୋଡି ଜଳରାଶିରେ ମୋଟର ବୋଟ ଚଳପ୍ରଚଳକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଏଥିରେ ନିବେଦନ କରାଯାଇଛି। ମଙ୍ଗଳାଯୋଡି ଅଞ୍ଚଳକୁ ଶାନ୍ତିପୂର୍ଣ୍ଣ ଜୋନ ଭାବେ ଘୋଷଣା କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ଷ୍ଟେଟ ଗେଷ୍ଟ ବା ରାଜ୍ୟ ଅତିଥି ଭାବେ ଘୋଷଣା କରିବାକୁ ପ୍ରାର୍ଥନା କରାଯାଇଛି।