ଓଡିଶା

odisha

ETV Bharat / city

ନୟାଗଡ ନାବାଳିକା ଦୁଷ୍କର୍ମ ମାମାଲା: SIT ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ - nayagarh news

ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାରେ ହାଇକୋର୍ଟ କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ଏହି ମମାଲା ତଦନ୍ତ ଏସଆଇଟି ସଠିକ ଢଙ୍ଗରେ କରୁଛି ଏବଂ ଏଥିରେ ଅଗ୍ରଗତି ଘଟୁଥିବା ମଧ୍ୟ କୋର୍ଟ କହିଛନ୍ତି ।

ନୟାଗଡ ନାବାଳିକା ଦୁଷ୍କର୍ମ ମାମାଲା: SIT ତଦନ୍ତକୁ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ
ନୟାଗଡ ନାବାଳିକା ଦୁଷ୍କର୍ମ ମାମାଲା: SIT ତଦନ୍ତକୁ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

By

Published : Jan 13, 2021, 7:07 AM IST

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାରେ ହାଇକୋର୍ଟ କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ଏହି ମମାଲା ତଦନ୍ତ ଏସଆଇଟି ସଠିକ ଢଙ୍ଗରେ କରୁଛି ଏବଂ ଏଥିରେ ଅଗ୍ରଗତି ଘଟୁଥିବା ମଧ୍ୟ କୋର୍ଟ କହିଛନ୍ତି ।

ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି ଏପର୍ଯ୍ୟନ୍ତ ତିନି ଥର ଷ୍ଟାଟସ ରିପୋର୍ଟ ଦାଖଲ କରିଛି । ପ୍ରଥମ ରିପୋର୍ଟଟି ଡିସେମ୍ବର ୧୫ ଏବଂ ଦ୍ବୀତିୟଟି ଡିସେମ୍ବର ୨୪ରେ କୋର୍ଟରେ ଦାଖଲ ହୋଇଥିବାବେଳେ ତୃତୀୟ ରିପୋର୍ଟଟି ଗତ ୧୧ ତାରିଖ ଦିନ କୋର୍ଟରେ ଦାଖଲ ହୋଇଛି । ତେବେ ଏସଆଇଟି ଦାଖଲ କରିଥିବା ଏହି ସଦ୍ୟ ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ନୂଆ ତଥ୍ୟ ରହିଛି । ଯାହାକୁ ଷ୍ଟାଟସ ରିପୋର୍ଟ ଜରିଆରେ କୋର୍ଟଙ୍କୁ ଅବଗତ କରିଛି ଏସଆଇଟି । ଏହାକୁ ଏସଆଇଟି ମଧ୍ୟ ସ୍ବୀକାର କରିଛି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସେପଟେ ଏସଆଇଟି ଟିମର ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିବା ପରେ ମାମଲାର ତଦନ୍ତ ଦିଗ ଭ୍ରଷ୍ଟ ନୁହେଁ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ତେବେ ହାଇକୋର୍ଟଙ୍କ ଏହି ମନ୍ତବ୍ୟ ପରେ ଏହାକୁ ନେଇ ଖୁସି ପ୍ରକାଶ କରିଛି ଏସଆଇଟି । ଏନେଇ ଏସଆଇଟି କୌଣସି ଟିପଣି କରିବାକୁ ମନା କରି ଦେଇଥିଲେ ମଧ୍ୟ ଟିମର ତଦନ୍ତ ଏବଂ ଦକ୍ଷତା ଉପରେ ବାରମ୍ବାର ପ୍ରଶ୍ନ ଉଠାଯାଉଥିଲା । କିନ୍ତୁ ଆମର ତଦନ୍ତ ସଠିକ ଢଙ୍ଗରେ ଏବଂ ନିରପେକ୍ଷ ଭାବେ ଚାଲିଥିବା କହିଛନ୍ତି ଏସଆଇଟିର ଜଣେ ଅଧିକାରୀ ।

ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିବାବେଳେ ଏହା ପୂର୍ବରୁ ବିଭିନ୍ନ ସାଇଣ୍ଟିଫିକ ଏଭିଡିଏନ୍ସ ତଦନ୍ତକାରୀ ସଂସ୍ଥା ହାତରେ ଲାଗିବ ବୋଲି ମଧ୍ୟ କୁହାଯାଉଛି । ଯେଉଁଥିରେ କି ଗୁଗଲ ଠାରୁ ମଗା ଯାଇଥିବା ଅଭିଯୁକ୍ତର ମୋବାଇଲ ଫୋନରୁ ଡିଲିଟ୍ ହୋଇଥିବା ସର୍ଚ୍ଚ ହିଷ୍ଟ୍ରିର ତଥ୍ୟ ଜଣାପଡିବ । ଏହାସହ ମୃତଦେହକୁ ଘୋଡାଇ ରଖିବା ପାଇଁ ଅଭିଯୁକ୍ତ ବ୍ୟବହାର କରିଥିବା ନଡିଆ ବାହୁଙ୍ଗାଟି ତାଙ୍କ ନିଜ ଗଛର ବା ନୁହେଁ ଏହା ଜଣାପଡିବ । ଏନେଇ ହାଇଦ୍ରାବାଦରେ ଥିବା ସି.ସି.ଏମ.ବି (ସେଣ୍ଟର ଫର ମଲିକ୍ୟୁଲାର ବାୟୋଲୋଜି) ଏବଂ ଦିଲ୍ଲୀ ସ୍ଥିତ ଏନ.ଆଇ.ପି.ଜି.ଆର (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ପ୍ଲାଣ୍ଟ ଜିନମ୍ ରିସର୍ଚ) କୁ ଯାଇଥିବା ନମୁନା ରିପୋର୍ଟ ମଧ୍ୟ ତଦନ୍ତକାରୀ ସଂସ୍ଥାର ହସ୍ତଗତ ହୋଇଯିବ ବୋଲି ଜଣାପଡ଼ିଛି ।

ଗତବର୍ଷ ଜୁଲାଇ ୧୪ ତାରିଖ ଦିନ ନାବାଳିକା ଜଣଙ୍କ ଘରୁ ନିଖୋଜ ହୋଇଯାଇଥିବା ବେଳେ ସେହି ମାସ ୨୩ ତାରିଖରେ ଗଳିତ ମୃତଦେହ ତାଙ୍କ ଘର ପଛପଟ ପୋଖରୀ ହୁଡାରୁ ମିଳିଥିଲା । ଏହି ମାମଲାରେ ରାଜନୈତିକ ବୟାନବାଜି ହେବା ଏବଂ ହାଇକୋର୍ଟରେ ମାମଲା ଦାୟର ହେବା ପରେ ଗତ ନଭେମ୍ବର ମାସ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଏସଆଇଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏବଂ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଏହି ଚର୍ଚ୍ଚିତ ଘଟଣାର ତଦନ୍ତ ଦାୟିତ୍ବ ଦେଇଥିଲା କ୍ରାଇମବ୍ରାଞ୍ଚ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details