କଟକ:ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ଅଫିସିଆଲ୍ ଲିକ୍ୟୁଡେଟରଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଗୁରୁବାର ସୁଦ୍ଧା ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏଥିରେ ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମେଡ଼ିସିନ ବ୍ୟାଙ୍କ ସୋସାଇଟି ନାମକ ଏକ ସଂସ୍ଥା ଆଜି ଏକ ମିସକେଶ ଦାଖଲ କରିଛନ୍ତି । ଉକ୍ତ ସଂସ୍ଥା ୨୦୦ କୋଟି ଟଙ୍କାରେ ଓଟିଏମକୁ କିଣିବାକୁ ଇଚ୍ଛୁକ ଥିବା ଆବେଦନରେ କୋର୍ଟଙ୍କୁ ଅବଗତ କରିଛନ୍ତି । ତେବେ ଉଭୟ ମାମଲା ଆସନ୍ତା ଗୁରୁବାର ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବ ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କ କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ କୋର୍ଟ କହିଛନ୍ତି । ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି ।