କଟକ: ଘରୋଇ ଇଞ୍ଜିନିୟରିଂ କଲେଜରେ ଖାଲି ପଡିଥିବା ସିଟ୍ ପୂରଣ ପାଇଁ ବାଟ ଫିଟିଛି । 2020-2021 ଶିକ୍ଷା ବର୍ଷ ଲାଗି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ବି-ଟେକ୍ (ଇଂଜିନିୟରିଂ) ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁମତି ପ୍ରସଙ୍ଗରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି।
ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା (ଏଣ୍ଟ୍ରି ଲେଭଲ କ୍ବାଲିଫିକେସନ୍) ଓ ଏସଆଇସିଟିଇ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ଯୋଗ୍ୟତା ଆଧାରରେ ଘରୋଇ ଶିକ୍ଷାନୁଷ୍ଠାନରେ ସରକାର ଚଳିତ ବର୍ଷ ବି-ଟେକ୍(ଇଞ୍ଜିନିୟରିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ମାନଦଣ୍ଡ ସ୍ଥିର କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡିଶା ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍(ଓପେକା) ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଖାଲି ପଡିଥିବା ସିଟ୍ ଗୁଡିକ ପୂରଣ ପାଇଁ ପଥ ପରିଷ୍କାର ହୋଇଛି।
ବି-ଟେକ୍ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇ ନଥିଲେ ମଧ୍ୟ ନାମଲେଖା ପାଇଁ ସୁଯୋଗ ପାଇ ପାରିବେ । ମାମଲାର ବିବରଣୀରୁ ପ୍ରକାଶ ଯେ 2020, ମାର୍ଚ୍ଚ ମାସରୁ ସାରା ଦେଶରେ କୋରୋନା ଭୂତାଣୁ ମାହାମାରୀ ନିଜ ପ୍ରଭାବ ଦେଖାଇଥିଲା। ଲକ୍ ଡାଉନ୍ ଓ ସଟ୍ ଡାଉନ ଭଳି ସ୍ଥିତିରେ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇ ପାରି ନଥିଲେ। ଅନ୍ୟପକ୍ଷରେ ଘରୋଇ ଇଞ୍ଜିନିୟରିଂ କଲେଜରେ ପ୍ରାୟ 20 ହଜାର ସିଟ୍ ପୂରଣ ହୋଇ ନପାରି ପଡି ରହିଥିଲା। ଏଭଳି ସ୍ଥିତିରେ ଓପେକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।