କଟକ: ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ପଶ୍ଚିମ ଓଡିଶାରେ ସ୍ଥାପନ ସହ ପରିଷଦକୁ ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ମନୋନୀତ ନେଇ ଜନସ୍ୱାର୍ଥ ମାମଲା । ଆଜି(ବୁଧବାର) ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଆବେଦନକାରୀଙ୍କ ପିଟିସନ ସଂକ୍ରାନ୍ତରେ ନଭେମ୍ବର ୧ ତାରିଖ ସୁଦ୍ଧା ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନଭେମ୍ବର ୮ ତାରିଖ ସୁଦ୍ଧା ଏ ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର । ରାଜ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଆକ୍ଟ ୨୦୦୦ ମସିହାରେ ଆସିଥିବା ବେଳେ ଇତିମଧ୍ୟରେ ୨୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି । ପଶ୍ଚିମ ଓଡିଶା ବିକାଶ ପରିଷଦରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସହ ଆଠମଲ୍ଲିକ ସବ ଡିଭିଜନ ସାମିଲ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ଅନୁଯାୟୀ ଏହାର ମୁଖ୍ୟାଳୟ ଏହି ଅଞ୍ଚଳ ମଧ୍ୟରେ ହେବା କଥା । କିନ୍ତୁ ଅଦ୍ୟାବଧି ତାହା ହୋଇପାରି ନାହିଁ । ପରିଷଦ ଅଞ୍ଚଳରେ ଥିବା ଦୁଇଜଣ ଲୋକସଭା ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ପରିଷଦକୁ ପଠାଇବା ନିୟମ ରହିଛି । କିନ୍ତୁ ତାହା ଅଦ୍ୟାବଧି କରାଯାଉ ନାହିଁ । ଉପକୂଳ ଓଡ଼ିଶା ସହ ଓଡିଶା କିଭଳି ସମକକ୍ଷ ହୋଇ ପାରିବ ସେଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଆକ୍ଟ ଆସିଥିଲା । ନିର୍ବାଚିତ ଲୋକ ପ୍ରତିନିଧି ସେଥିରେ ସଦସ୍ୟ ନଥିବା ବେଳେ ଆକ୍ଟର ଉଦ୍ଦେଶ୍ୟ କିଭଳି ଫଳପ୍ରଦ ହୋଇ ପାରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ ।