କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ ପ୍ରସଙ୍ଗକୁ ଚ୍ୟାଲେଞ୍ଜ କରି ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ଆବେଦନକୁ ହାଇକୋର୍ଟଙ୍କ ଗ୍ରହଣ । ଏନେଇ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଏଥି ସହିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ ପ୍ରସଙ୍ଗ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦିଷ୍ଟ ନିଯୋଗର ସେବକଙ୍କୁ ବାରମ୍ବାର ମନୋନୀତ କରାଯାଉଛି । ଖୁଣ୍ଟିଆ ନିଯୋଗକୁ ଅଣଦେଖା କରାଯାଉଛି ବୋଲି ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି । ପ୍ରତିଦିନ ଶ୍ରୀମନ୍ଦିରରେ ୧୯ ପ୍ରକାରର ସେବାପୂଜା ଖୁଣ୍ଟିଆ ସେବକ ସମ୍ପାଦନ କରିଥାନ୍ତି । ଶ୍ରୀମନ୍ଦିର ଖୋଲିବା ସମୟରୁ ଆରମ୍ଭ କରି ମନ୍ଦିର ବନ୍ଦ ହେବା ପର୍ଯ୍ୟନ୍ତ ଏହି ସେବକ ନିର୍ଦ୍ଦିଷ୍ଟ ସେବାପୂଜା କାର୍ଯ୍ୟ ସମ୍ପାଦନ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ସମୟରେ ଖୁଣ୍ଟିଆ ନିଯୋଗର ସେବକଙ୍କୁ ସଦସ୍ୟ ଭାବେ ଜାଣିଶୁଣି ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି ।