କଟକ:ସ୍ବରେଜ ଲାଇନ ସଫେଇବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଭୁବନେଶ୍ୱରରେ ସ୍ୱରେଜ କାମବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ଠିକା କମ୍ପାନୀ ଦେଇଥିବା ୨୧ ଲକ୍ଷ ଟଙ୍କା ସମାନ ଭାବରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭୁବନେଶ୍ୱର ଯୁଗ୍ମ ଶ୍ରମ କମିଶନରଙ୍କ ନିକଟରେ ସମ୍ପୃକ୍ତ ଠିକା କମ୍ପାନୀ ଏହି ଇନ୍ସୁରାନ୍ସ ଟଙ୍କା ଜମା ଦେଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ.ମୁରଲୀଧର ଓ ଜଷ୍ଟିସ୍ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ରାୟଗଡା ଟିକିରି ଥାନା ଅଞ୍ଚଳରେ ଅକ୍ଟୋବର ୨୦ ତାରିଖରେ ଏକ ଶୌଚାଳୟରେ କାମ କରୁଥିବାବେଳେ ୨ ଜଣ ଦଳିତ ଓ ଅନ୍ୟ ଜଣେ ପଛୁଆ ବର୍ଗ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଆମିକସ କ୍ୟୁରୀ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇ ଥିବାବେଳେ ହାଇକୋର୍ଟ ଏ ସମ୍ପର୍କରେ ରାୟଗଡା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେହିଭଳି କନ୍ଧମାଳରେ ସ୍ବରେଜ ଟାଙ୍କିରେ ୨ଜଣ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଘଟଣାରେ ପୂର୍ବରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇ ଥିବାବେଳେ ଅଦ୍ୟାବଧି ଉକ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇପାରିନାହିଁ । ତେଣୁ ସେ ସମ୍ପର୍କିତ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ଦୁଇ ଘଟଣା ସମ୍ପର୍କରେ ଦୁଇ ଜିଲ୍ଲାପାଳ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟଙ୍କ ନିକଟରୁ ନିର୍ଦ୍ଦେଶ ପାଇଛନ୍ତି ।
କଟକ ଭୁବନେଶ୍ୱର ସ୍ୱରେଜ ଲାଇନରେ କାମ କରିବାବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଜବାବ ଦାଖଲ କରିଥିଲା ବେଳେ ସେ ସମ୍ପର୍କରେ ଆମିକସ କ୍ୟୁରୀଙ୍କୁ ପ୍ରତିଜବାଵ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୱାଟର କର୍ପୋରେସନ୍ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ, କଟକର ସିଡିଏରେ ସ୍ବରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ୨ ଶ୍ରମିକଙ୍କ ପରିବାରକୁ ଘରୋଇ ଠିକା ସଂସ୍ଥା ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିଥିବାବେଳେ ଆହତ ଜଣଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛି ସମ୍ପୃକ୍ତ ଠିକା ସଂସ୍ଥା । ଅନ୍ୟପକ୍ଷରେ ଭୁବନେଶ୍ବରରେ ସ୍ବରେଜ ଲାଇନ ସଫେଇବେଳେ ପ୍ରାଣ ହରାଇଥିବା ୨ ଶ୍ରମିକଙ୍କ ଘର ମୟୂରଭଞ୍ଜ ଓ ଝାଡଖଣ୍ଡ ହୋଇଥିବାବେଳେ କ୍ଷତିପୂରଣ ବାବଦରେ ଘରୋଇ ନିର୍ମାଣକାରୀ ସଂସ୍ଥା ୨୧ ଲକ୍ଷ ଟଙ୍କା ଦେଇଛି ।