ଓଡିଶା

odisha

ETV Bharat / city

ସିଲଭରସିଟିର ମୁଖ୍ୟ ଆକର୍ଷଣ, ଚାନ୍ଦି ମେଢ଼ରେ ଝଟକିବେ ସିଦ୍ଧି ବିନାୟକ

ରାତି ପାହିଲେ ଗଣେଶ ପୂଜା । ଦୁଇ ବର୍ଷ ପରେ ବେଶ ଧୂମ ଧାମରେ ପାଳନ ହେବ ଗଜାନନଙ୍କ ପୂଜା । ସିଲଭର ସିଟିରେ ଗଣେଶ ପୂଜାରେ ପ୍ରଥମ ଥର କରି ଚାନ୍ଦି ମେଢ଼ର ହେଲା ଶୁଭାରମ୍ଭ । ଚୌଧୁରୀ ବଜାର ମଠ ସାହି ବାପୁଜି କ୍ଲବ ପକ୍ଷରୁ ତିଆରି ହୋଇଛି ଏହି ଚାନ୍ଦି ମେଢ଼ । ଅଧିକ ପଢ଼ନ୍ତୁ

By

Published : Aug 30, 2022, 10:56 PM IST

ଚାନ୍ଦି ମେଢ଼ରେ ଝଲସିବେ ଗଜାନନ
ଚାନ୍ଦି ମେଢ଼ରେ ଝଲସିବେ ଗଜାନନ

କଟକ :କଟକରେ ଗଣେଶ ପୂଜା ପରମ୍ପରାରେ ନୂତନ ଅଧ୍ୟାୟ । ସିଲଭର ସିଟିରେ ଗଣେଶ ପୂଜାରେ ପ୍ରଥମ ଥର କରି ଚାନ୍ଦି ମେଢ଼ର ହେଲା ଶୁଭାରମ୍ଭ । ଚୌଧୁରୀ ବଜାର ମଠ ସାହି ବାପୁଜି କ୍ଲବ ପକ୍ଷରୁ ତିଆରି ହୋଇଛି ଏହି ଚାନ୍ଦି ମେଢ଼ । ଯେଉଁଥିରେ ଲାଗିଛି ୪୦କେଜିର ଚାନ୍ଦି । ଯାହା ଚଳିତ ବର୍ଷ ଗଣେଶ ପୂଜାରେ କଟକର ମୁଖ୍ୟ ଆକର୍ଷଣ ସାଜିବ ବୋଲି ଆଶା ରଖିଛନ୍ତି କ୍ଳବ ସଦସ୍ୟ ।

ଚାନ୍ଦି ମେଢ଼ରେ ଝଟକିବେ ସିଦ୍ଧି ବିନାୟକ

ଏହି ଚାନ୍ଦି ମେଢ଼କୁ ନେଇ ଏବେ ବେଶ ଉତ୍ସବ ମୁଖର ହେଉଛି କଟକ ସହର । ଗତ ବର୍ଷ ଠୁ ଚାନ୍ଦି ମେଢ଼ କରିବା ପାଇଁ ଲକ୍ଷ୍ୟ ରଖିଥିବା ବାପୁଜି କ୍ଳବ ଚଳିତ ବର୍ଷ ତାହାକୁ ସମ୍ପାଦିତ କରିଛି । ରୌପ୍ୟ ନଗରୀ କଟକ ସବୁବେଳେ ଚାନ୍ଦି ଦୁର୍ଗା ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତିଆରି ହୋଇଛି ଗଣେଶଙ୍କ ଚାନ୍ଦି ମେଢ଼ ।


କଟକ ସହରରେ ପ୍ରଥମ ଚାନ୍ଦି ଦୁର୍ଗା ମେଢ଼ ଭାବେ ଚୌଧୁରୀ ବଜାର ପୂଜା କମିଟି ୧୯୫୬ ମସିହାରେ ସ୍ଥାପନ କରିଥିବା ବେଳେ ସେହି ଚୌଧୁରୀ ବଜାର ମଠାସାହିର କ୍ଳବ୍ ସଦସ୍ୟ ମାନେ ପ୍ରଥମ ଥର ପାଇଁ ୨୦୨୨ରେ ଗଣେଶଙ୍କ ଚାନ୍ଦିର ମେଢ଼ ନିର୍ମାଣ କରିଛନ୍ତି । ଏହି ମେଢ଼ ନିର୍ମାଣ କରିବା ପାଇଁ ପାଖାପାଖି ୨୦ ଲକ୍ଷ୍ୟ ତାଙ୍କର ବଜେଟ୍ ରଖାଯାଇଥିଲା ।

୨୦୧୯ ମସିହାରୁ ମେଢ଼ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଏହାକୁ ଶେଷ କରାଯାଇଛି ବୋଲି କହିଛନ୍ତି କ୍ଳବର ସମ୍ପାଦକ । ବିଶେଷ କରି ଚୌଧୁରୀ ବଜାର ମଠସାହି ବାପୁଜି କ୍ଳବର ପିଲାମାନେ ନିଜନିଜ ଉଦ୍ୟମରେ ପକେଟ୍ ଖର୍ଚ୍ଚରୁ ଟଙ୍କା ସଞ୍ଚୟ କରି ଏହି ଚାନ୍ଦି ମେଢ଼ ନିର୍ମାଣ କରିଛନ୍ତି ।

କେଉଁ କାଳରୁ ଗଣେଶ ଏଠାରେ ପୂଜା ହୋଇ ଆସୁଥିଲେ ସୁଦ୍ଧା ଚଳିତବର୍ଷ ଏହାକୁ ଚାନ୍ଦି ମେଢ଼ରେ ପରିବର୍ତ୍ତନ କରିବା ପାଇଁ ମନ ବଳାଇଥିଲେ କ୍ଳବ ସଦସ୍ୟ ଓ ମୂରବୀ । ଆଉ ପିଲା ମାନଙ୍କର ଏହି ଉଦ୍ୟମ ଓ ସଫଳତା ପାଇଁ ବେଶ୍ ଖୁସି ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଗାମୀ ଦିନରେ ସିଂହାସନ, ନୂତନ ଅଳଙ୍କାର ଓ ସୁନାର ମୁକୁଟ ନିର୍ମାଣ କରିବା ପାଇଁ ଉଦ୍ୟମ ଜାରି ରହିବା ସହ ଚଳିତବର୍ଷ ଏହି ମେଢ଼ ନିଶ୍ଚିତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କହିଛନ୍ତି ସାହି ମୁରବି । କଟକ ପାର୍ବଣ ପୃଷ୍ଠାରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଥିବା ବାପୁଜି କ୍ଲବର ଚାନ୍ଦି ମେଢ଼ ନିଶ୍ଚିତ ଭାବେ ଭକ୍ତଙ୍କର ବେଶ ଧ୍ୟାନ ଆକର୍ଷିତ କରିପାରିବ ବୋଲି ଆଶା ରଖିଛନ୍ତି କ୍ଳବ ସଦସ୍ୟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details