ଓଡିଶା

odisha

ETV Bharat / city

ନେତାଜୀ-ବିଜୁ ପଟ୍ଟନାୟକ ପଢିଥିବା ସ୍କୁଲ ଦାୟିତ୍ବ ନେଲେ ପୂର୍ବତନ ବିଚାରପତି, ଶିକ୍ଷାରେ ଉନ୍ନତି ଆଶା - Ravenshaw Collegiate School news

ରେଭେନ୍ସା କଲେଜିଏଟ ସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ସ୍କୁଲର ପୁରାତନ ଛାତ୍ର ଜଷ୍ଟିସ ଅରିଜିତ ପଶାୟତ । ଯାହାକୁ ନେଇ ବିଦ୍ୟାଳୟର ସ୍ଥିତି ବଦଳିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

ରେଭେନ୍ସା କଲେଜିଏଟ ସ୍କୁଲ
ରେଭେନ୍ସା କଲେଜିଏଟ ସ୍କୁଲ

By

Published : Feb 3, 2021, 8:10 PM IST

କଟକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ରେଭେନ୍ସା କଲେଜିଏଟ ସ୍କୁଲ କଟକର ଏକ ପୁରାତନ ସ୍କୁଲ । ଏହି ସ୍କୁଲରେ ନେତାଜୀଙ୍କ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ କହିବା ପରେ ଏହି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ସ୍କୁଲର ପୁରାତନ ଛାତ୍ର ଜଷ୍ଟିସ ଅରିଜିତ ପଶାୟତ ।

ଏହି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରାଯିବା ପରେ ସ୍କୁଲର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକମାନେ ସମସ୍ତେ ଢେର ଖୁସି ଜାହିର କରିଛନ୍ତି । ଏହା ଦ୍ବାରା ନିଶ୍ଚିତ ରୂପେ ଆଗକୁ ଅନେକ କିଛି ସୁଧାର ଆସିବ ବୋଲି ସେମାନେ ଆଶା ରଖିଛନ୍ତି ।

ନେତାଜୀ-ବିଜୁ ପଟ୍ଟନାୟକ ପଢିଥିବା ସ୍କୁଲ ଦାୟିତ୍ବ ନେଲେ ପୂର୍ବତନ ବିଚାରପତି, ଶିକ୍ଷାରେ ଉନ୍ନତି ଆଶା

ପୋଷ୍ୟ ଭାବେ ଗ୍ରହଣ ପରେ ଏଠାରେ ନିଶ୍ଚିତ ରୂପେ ଆଧୁନିକ ଶିକ୍ଷା ବ୍ୟବସ୍ଥା ହେବ । ଫଳରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଏମାନେ ଆଶା କରିଛନ୍ତି । ଅନ୍ୟପଟେ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି, ‘ଏହି ସ୍କୁଲଟି ଏକ ପୁରାତନ ସ୍କୁଲ ହୋଇଥିବାରୁ ଏଠାରେ ଏବେ କିଛି ସମସ୍ୟା ରହିଛି । ଆଉ ଜଷ୍ଟିସ ପଶାୟତ ଏହାକୁ ପୋଷ୍ୟଭାବେ ଗ୍ରହଣ କରି ଥିବାରୁ ନିଶ୍ଚିତରୂପେ ସେ ସବୁ ଛୋଟବଡ ସମସ୍ୟା ଅନେକାଂଶରେ ଆଗକୁ ଦୂର ହେବ ।’ ବିଶେଷ କରି ସ୍କୁଲର ଭିତ୍ତିଭୂମି ନିଶ୍ଚିତରୂପେ ପୂର୍ବ ଅପେକ୍ଷା ଢେର ସୁଦୃଢ ହେବ ବୋଲି ସେ ଆଶା କରିଛନ୍ତି ।

ସରକାରୀ ସ୍କୁଲର ଛବିକୁ ସୁଧାରିବା ପାଇଁ ଇତି ମଧ୍ୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ଏହା ଏକ ବଳିଷ୍ଠ ପଦକ୍ଷେପ । ଏହି ବ୍ୟବସ୍ଥା ଦ୍ବାରା ନିଶ୍ଚିତରୂପେ ସରକାରୀ ସ୍କୁଲରୁ ବିମୁଖ ହେଉଥିବା ଛାତ୍ରଛାତ୍ରୀମାନେ ପୁଣି ଥରେ ଏସବୁ ସ୍କୁଲ ଆଡକୁ ଆକର୍ଷିତ ହେବେ ବୋଲି ଆଶା କରାଯାଉଛି । ତେବେ ସେଭଳି କିଛି ବି ଆଶା ଏଭଳି ବ୍ୟବସ୍ଥା ଦ୍ବାରା ନାହିଁ ବୋଲି ମତ ଦେଇଛନ୍ତି ଶିକ୍ଷାବିତ ।

ପୋଷ୍ୟଭାବେ ଗ୍ରହଣ କରି ଦେଲେ ହୁଏତ ସ୍କୁଲର ଭିତ୍ତିଭୂମିରେ କିଛି ମାତ୍ରାରେ ସୁଧାର ଆସିପାରେ । ହେଲେ ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ଆଦୌ ପରିବର୍ତ୍ତନ ସମ୍ଭବ ନୁହେଁ । ଯଦି ଗୋଟିଏ ସ୍କୁଲରେ କିଛି ଶିକ୍ଷକ ପଦବୀ ଖାଲି ପଡିଥାଏ, ତେବେ ତାହାକୁ ପୂରଣ କରିବାରେ କେବଳ ସରକାର ହିଁ ପଦକ୍ଷେପ ଗ୍ରହଣ କରିପାରିବେ ।

ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ସେଥିରେ କିଛି ବି କରିପାରିବ ନାହିଁ । କେବଳ କିଛି ବ୍ୟବସ୍ଥାରେ ସୁଧାର ଆସିବ ହେଲେ ଏଥିପାଇଁ ଯେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ଛାଡି ଆସି ଏଭଳି ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆକୃଷ୍ଟ ହେବେ ଏହା କହିବା ଠିକ ନୁହେଁ ବୋଲି ମତ ଦେଇଛନ୍ତି ଶିକ୍ଷାବିତ ଡଃ ସତ୍ୟକାମ ମିଶ୍ର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details