କଟକ:ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀଗୁଡିକ ଫୁଲୁଥିବା ବେଳେ ଗାଁ ଗଣ୍ଡା ସବୁ ଜଳମଗ୍ନ ରହିଛି । ଏପରି ସ୍ଥିତିରେ ଅକାତକାତ ବନ୍ୟାପାଣିରେ ଅତି ବିପଦସଙ୍କୁଳ ଭାବେ ମାଛ ଧରୁଛନ୍ତି ଲୋକେ । ତା' ପୁଣି କେଉଁ ନଦୀ କିମ୍ବା ପୋଖରୀ ନୁହେଁ, ବରଂ କଟକର ନରାଜ ବ୍ୟାରେଜ ତଳେ ଚାଲିଛି ଏପରି ମାଛ ଧରା । ଟିକେ ଅସାବଧାନତା ହେଲେ ଏଠାରେ ଜୀବନ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ସବୁ ଜାଣି ବି ବନ୍ୟାପାଣିର ପ୍ରାୟ ୮ ଫୁଟ ତଳୁ ମାଛ ଧରିବାରେ ବ୍ୟସ୍ତ ରହିଛନ୍ତି ମାଛ ଧରାଳି ।
ବନ୍ୟା ଜଳସ୍ତର ହୁ ହୁ ହୋଇ ବଢିଚାଲିଛି । ଏପରିସ୍ଥିତିରେ ଏହି ମାଛ ଧରାଳୀଙ୍କ ପାଖରେ ନାଁ ସୁରକ୍ଷା ପାଇଁ ଲାଇଭ ଜ୍ୟାକେଟ ଅଛି ନାଁ ଅଣ୍ଟାରେ ଦଉଡି ଟାଣିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ସମସ୍ତଙ୍କ ସାମ୍ନାରେ ଦିନ ଦ୍ବିପ୍ରହରରେ ଅତି ବିପଦପୂର୍ଣ୍ଣ ଭାବରେ ଚାଲିଛି ଏହି ମାଛଧରା । ବିପଦ ସଂକେତ ଉପରେ ମହାନଦୀ ଜଳସ୍ତର ରହିଥିଲେ ବି ଏମାନଙ୍କୁ କେହି ବାରଣ କରୁନାହାନ୍ତି । ଯନ୍ତ୍ରୀ ମଧ୍ୟ ସବୁ ଦେଖି ଚୁପ୍ ବସିଛନ୍ତି । ତେବେ ଏହି ଘଟଣା ନେଇ ନରାଜ ସହକରୀ ଯତ୍ନୀଙ୍କୁ ପଚାରିବାରୁ ସେ ଏହାକୁ ହାଲୁକାରେ ନେଇଛନ୍ତି । ଯତ୍ନୀଙ୍କ କହିବା ମୁତାବକ, ‘ମାଛ ଧରାଳୀମାନଙ୍କ ଏହା ଅଭ୍ୟାସ । ତାଙ୍କର କିଛି ହେବନି । ସେମାନେ ଏମିତି ହିଁ ମାଛ ଧରନ୍ତି । ଗେଟ୍ ଖୋଲିଲେ ସେମାନଙ୍କୁ ଅବଗତ କରାଉ ଏବଂ ସେମାନେ ବାହାରି ଯାଆନ୍ତି ।’