କଟକ:ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି(Diwali), ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମରେ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । କୋରୋନା ଯୋଗୁଁ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ନେଇ ବେଶ ଖୁସି ଅଛନ୍ତି ବ୍ୟବସାୟୀ, ଚଳିତ ବର୍ଷ କଟକରେ ବାଣ ବିକ୍ରି ନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଅସ୍ଥାୟୀ ବାଣ ଦୋକାନ ପାଇଁ ପୋଲିସ ପକ୍ଷରୁ ଅନୁମତି ମିଳିଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ଖୁଚୁରା ଓ ବଡ଼ ବ୍ୟବସାୟୀଙ୍କୁ ଅନୁମତି ପତ୍ର ଦିଆଯିବା ନେଇ ସୂଚନା ମିଳିଛି ।
ତେବେ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହିଁ ବାଣ ବିକ୍ରି କରିପାରିବେ । ବିନା ଲାଇସେନ୍ସରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ଯଦି କେହି ବିନା ଲାଇସେନ୍ସରେ ବାଣ ବିକ୍ରି କରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି । କଟକ ସହର ଉପାନ୍ତରେ ଥିବା ଖୋଲା ପଡ଼ିଆରେ ଅସ୍ଥାୟୀ ବାଣ ଦୋକାନ କରାଯିବ । ସେଥିପାଇଁ ପ୍ରାଥମିକ ଭାବେ ଖାନନଗର ବୈଷ୍ଣବ ପାଣି ପାର୍କ ତଳ ପଡିଆରେ ବାଣ ବିକ୍ରି ପାଇଁ CMC ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି ବୋଲି କହିଛନ୍ତି ମେୟର । ଏଥି ସହିତ କଟକର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ତିଆରି କାରଖାନା ଉପରେ ନଜର ରଖିଛି କମିଶନରେଟ ପୋଲିସ ।