ନିଆଳି: ବର୍ଷକର ଦାନାପାଣି ନେଇଗଲା ବାତ୍ୟା ଜଓ୍ବାଦ। ପବନ ହେଲାନି କିନ୍ତୁ ବର୍ଷା ଉଜୁଡିଦେଲା ଗାଁ ଗଣ୍ଡାର ହଜାର ହଜାର ଚାଷୀଙ୍କର ବର୍ଷର ଭାତ ହାଣ୍ଡି । ଧାନ ପରେ ଏବେ ପନିପରିବା ଗଛ ପଚିବାକୁ ଲାଗିଲାଣି । କ୍ଷତି ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।
କଟକ ଜିଲ୍ଲା ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଲକ ଅଞ୍ଚଳରେ ଥିବା ୪୨ଟି ପଞ୍ଚାୟତରେ ବାତ୍ୟା ଉଜାଡି ଦେଇଛି ଶହ ଶହ ହେକ୍ଟର ପନିପରିବା ଗଛ । ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ ଭାବରେ କ୍ଷତି ହୋଇଛି ପରିବା ଚାଷ। ବର୍ଷା ଜଳ ଚାଷ ଜମିରେ ଦୀର୍ଘ ଦିନ ଧରି ଜମି ରହିବା ଫଳରେ ପନିପରିବା ଗଛ ସବୁ ମରିଯାଇଛି । ଚାଷୀ କ୍ଷେତରେ ବାଇଗଣ, କୋବି, ଟମାଟୋ, ପୋଟଳ, ବିନ, କଖାରୁ, ଭେଣ୍ଡି, ଲଙ୍କା, କାକୁଡି, ଜହ୍ନି ଏମିତି ଅନେକ ପନିପରିବା ଚାଷ କରିଥିଲା। ଏପରିକି ଡାଲି ଜାତୀୟ ରବି ଫସଲ ଖାଦ୍ୟ ବିରି, ମୁଗ, କୋଳଥ ଓ ସୋରିଷ ଆଦି ଫସଲ ମଧ୍ୟ କରିଥିଲା । କିନ୍ତୁ ସବୁ ଫସଲ ନଷ୍ଟ ହୋଇଯାଇଛି।