ଓଡିଶା

odisha

ETV Bharat / city

ବନ୍ୟା ବିଭୀଷିକା, ରାସ୍ତାକଡ ଜରିପାଲରେ ବିତୁଛି ଜୀବନ ! - ବନ୍ୟା ବିଭୀଷିକା

ଧୀରେ ଧୀରେ କାଠଯୋଡି ଏବଂ ମହାନଦୀର ଜଳସ୍ତର କମିବାରେ ଲାଗିଛି । ହେଲେ ନଦୀ କୂଳରେ ଘର କରି ରହୁଥିବା ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା ଏବେ ବି କମିନାହିଁ । କଟକ ସହରର ସିଡିଏ ବିରେନ ମିତ୍ର ପାର୍କ ନିକଟସ୍ଥ ବସ୍ତି ଏବଂ ଜଗନ୍ନାଥ ବସ୍ତିରେ ଗତ କିଛି ଦିନ ହେବ ପାଣି ପଶିବା ଯୋଗୁଁ ସେମାନେ ଏବେ ରାସ୍ତା କଡରେ ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି । ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସହାୟତା ଦିଆଯାଇନାହିଁ । ଏପରିକି ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

ବନ୍ୟା ବିଭୀଷିକା, ରାସ୍ତା କଡରେ ଜରି ପାଲରେ ବିତୁଛି ଜୀବନ !
ବନ୍ୟା ବିଭୀଷିକା, ରାସ୍ତା କଡରେ ଜରି ପାଲରେ ବିତୁଛି ଜୀବନ !

By

Published : Sep 1, 2020, 10:41 PM IST

କଟକ: କମୁଛି କାଠଯୋଡି ଓ ମହାନଦୀର ଜଳସ୍ତର...ହେଲେ ନଦୀକୂଳରେ ଘର କରି ରହୁଥିବା ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା ଏବେ ବି କମିନାହିଁ । ଆଜି ବି ବନ୍ୟାପାଣିରେ ବୁଡି ରହିଛି ଅନେକ ଚାଳଛପର ଘର...ଅନେକଙ୍କ ଘର ଭିତରେ ବଢି ପାଣି ଏବେ ବି ଲହଡି ଭାଙ୍ଗୁଛି । ଏଭଳି ସ୍ଥିତିରେ ରାସ୍ତା କଡରେ ଜରି ଟାଣି ଜୀବନ ବିତାଉଛନ୍ତି ସିଲଭର ସିଟିର ବସ୍ତିବାସିନ୍ଦା । ଏ ଦୃଶ୍ୟ ହେଉଛନ୍ତି ସିଡିଏ ନିକଟସ୍ଥ ବିରେନ ମିତ୍ର ପାର୍କ ପାଖ ବସ୍ତିର । ଗୋଟିଏ ପଟେ କୋରୋନା ଏହି ବସ୍ତିବାସୀଙ୍କ ଜୀବିକା ଛଡାଇ ନେଇଥିବା ବେଳେ ଏବେ ବନ୍ୟାପାଣି ଏମାନଙ୍କୁ ବାସହୀନ କରିଛି । ଏବେ ଅନେକ ବସ୍ତି ପରିବାର ରାସ୍ତା କଡରେ ଜରି ପାଲ ଭିତରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଅନେକ ଛୋଟ ପିଲାଙ୍କୁ ଧରି ଟ୍ରଲି ଉପରେ ଦିନ କାଟୁଛନ୍ତି ।

ବନ୍ୟା ବିଭୀଷିକା, ରାସ୍ତା କଡରେ ଜରି ପାଲରେ ବିତୁଛି ଜୀବନ !

ନଦୀପାଣି ବଢିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଅଚାନକ ପାଣି ଆସିବା ଯୋଗୁଁ କେତେକ ପରିବାର କେବଳ ଆସବାବ ପତ୍ର ଛଡା ଆଉ କିଛି ବି ଆଣିପାରିଲେନାହିଁ । ଏପରିକି ସେମାନଙ୍କ ଚାଉଳ, ଟଙ୍କା ପଇସା ମଧ୍ୟ ଘର ଭିତରେ ରହିଯାଇଛି । ବେରୋଜଗାର ସାଙ୍ଗକୁ ବାସହୀନ ଏବେ ଏହି ବସ୍ତିବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।

କେବଳ ଏହି ବସ୍ତି ନୁହେଁ, କାଠଯୋଡି ନଦୀ କୂଳରେ ସିଡିଏ ନିକଟରେ ଥିବା ଜଗନ୍ନାଥ ବସ୍ତିର ଅବସ୍ଥା ମଧ୍ୟ ସମାନ ରହିଛି । ଏଠାରେ ରହୁଥିବା ପ୍ରାୟ ହଜାରେ ପାଖାପାଖି ଲୋକ ଏବେ ରାସ୍ତା ଉପରେ ଜରି ପାଲ ଟାଣି ଦିନ କାଟୁଛନ୍ତି । ସିଏମସି ଏବଂ ଜିଲ୍ଲା ପ୍ରଶାସନ କେବଳ ସେମାନଙ୍କୁ ନଦୀକୂଳରୁ ସ୍ଥାନାନ୍ତର କରି ଦୁଇ ମୁଠା ଚୂଡା ଏବଂ ଟିକିଏ ଗୁଡ ଦେଇ ନିଜର ଦାୟିତ୍ବ ସାରି ଦେଇଛି । ଏଠାରେ ପିଲାଛୁଆ ନେଇ ରହୁଥିବା ଲୋକେ ଖାଇବା ନ ପାଇଁ ଅତି କଷ୍ଟରେ ସମୟ କାଟୁଛନ୍ତି । ଆଉ ସେମାନଙ୍କୁ ଆଦୌ ରନ୍ଧା ଖାଦ୍ୟ ଦିଆଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବସ୍ତି ବାସିନ୍ଦାଙ୍କ ନେତା ତଥା ରାଜ୍ୟସଭା ସାଂସଦ ସୁବାଷ ସିଂହ କହିଛନ୍ତି ଯେ, ରାଜ୍ୟ ସରକାର ଏନେଇ ପଦକ୍ଷେପ ନେଉଛନ୍ତି । ମାତ୍ର ନଦୀ ପଠାରେ ଯେଉଁମାନେ ବସବାସ କରନ୍ତି, ସେମାନଙ୍କ ପାଇଁ ଏହି ସମସ୍ୟା ରହିଥାଏ । ତେଣୁ ସେମାନଙ୍କୁ ଥଇଥାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

ବନ୍ୟାଜଳ କଟକ ତଳିଆ ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ବାସହୀନ କରିଥିବା ବେଳେ କେବେ ଜଳସ୍ତର ସମ୍ପୂର୍ଣ୍ଣ ଭାବେ କମିବ ଏବଂ ଏମାନେ ନିଜ ଘର ବାହୁଡି ପୁଣି ଥରେ ଅଣ୍ଟା ସଳଖିବେ ତାହା ସମୟ ସାପେକ୍ଷ୍ୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details