କଟକ: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଆଜି(ମଙ୍ଗଳବାର) ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ଠାରେ ଥିବା ମାଛ ମାର୍କେଟକୁ ଉଚ୍ଛେଦ କରାଯାଇଛି। ଅନ୍ୟପଟେ ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମାଛ ବ୍ୟବସାୟୀ।
ସବୁଠାରୁ ବଡ଼ କଥା ହେଉଛି ମାଛ ବ୍ୟବସାୟରେ ନିଜ ପରିବାର ପୋଷଣ କରୁଥିବା ଜଣେ ମେଧାବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି। କାରଣ ତାଙ୍କ ବାପା ସ୍ପାଇନାଲ କର୍ଡ଼ ରୋଗରେ ପ୍ରଭାବିତ ହେବା ପରେ ସେ ପରିବାର ଦାୟିତ୍ବ ନେଇଛନ୍ତି। ଶ୍ରଦ୍ଧାଞ୍ଜଳି କଟକର ଶୈଳବାଳା କଲେଜରେ ବିଜ୍ଞାନ ବିଭାଗର ତୃତୀୟ ବର୍ଷର ଛାତ୍ରୀ । ସେ ପାଠପଢିବା ସହ ମାଛ ବ୍ୟବସାୟ କରି ନିଜର ପରିବାର ଚଳାଇଥାଆନ୍ତି। ହେଲେ ହଠାତ ଉଚ୍ଛେଦ କରାଯିବା ପରେ ତାଙ୍କ ମୁଣ୍ଡ ଉପରେ ଚଡକ ପଡିଯାଇଛି।