କଟକ: ଏସସିବି ମେଡିକାଲର ନବନିର୍ମାଣ କାର୍ଯ୍ୟ ପାଇଁ ଆରମ୍ଭ ହେଲା ବ୍ୟାପକ ଉଚ୍ଛେଦ ପ୍ରକ୍ରିୟା। ଏହି କ୍ରମରେ ଆଜି ପ୍ରଥମ ଦିନରେ ୧୦ଟି ମନ୍ଦିର ସହ ୪ଟି କ୍ଲବକୁ ଭଙ୍ଗା ଯାଇଛି। ତେବେ ଏହି ଉଚ୍ଛେଦ ସମୟରେ ପ୍ରଶାସନ ପାତର ଅନ୍ତର ନୀତି ଅବଲମ୍ବନ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ବିରୋଧ କରି ପିଡବ୍ଲୁଡି କଲୋନୀରେ କିଛି ସମୟ ପାଇଁ ଲାଗି ରହିଥିଲା ଉତ୍ତେଜନା। ସେପଟେ ଉଚ୍ଛେଦ ପରେ ବିସ୍ଥାପିତ ମନ୍ଦିର କମିଟିକୁ ଆଜି ସୁଧା ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୃତି ଦେଇଛି।
ଆଖି ସାମନାରେ ନିଜ ଆରାଧ୍ୟଙ୍କ ମନ୍ଦିର ଉଚ୍ଛେଦକୁ ଦେଖିବା ପରେ ଇଏ ଥିଲା ଯୋବ୍ରା ପିଡବ୍ଲୁଡି କଲୋନୀ ବାସିନ୍ଦାଙ୍କ କୋହ । ଯେଉଁ ମନ୍ଦିରରେ ସେମାନେ ପ୍ରତିଦିନ ସକାଳ ଓ ସଞ୍ଜରେ ପୂଜା ଅର୍ଚ୍ଚନା କରୁଥିଲେ ତାହା ଏବେ ଧାରାଶାୟୀ। ଉଚ୍ଛେଦ ପୂର୍ବରୁ ଦିଅଁଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ସତ କିନ୍ତୁ ମନ୍ଦିର ପ୍ରତିଥିବା ମୋହ ଉଚ୍ଛେଦ ସମୟରେ ଲୋକଙ୍କୁ ବ୍ୟଥିତ କରିଥିଲା। କି ମହିଳା କି ପୁରୁଷ ଲୁହ ସମସ୍ତଙ୍କ ଆଖିରୁ ଝରୁଥିଲା । ଘରୁ ଉଚ୍ଛେଦ ହେଲେ କେଉଁଠି ରହିବେ ବୋଲି ପ୍ରଶ୍ନ କରିଥିଲେ ଲୋକେ ।