କଟକ: ନଭେମ୍ବର ପହିଲାରୁ ପ୍ରତି ସରକାରୀ ବିଭାଗ ପାଇଁ ହାଇକୋର୍ଟରେ ମାମଲାଗୁଡିକର ଇ-ଫାଇଲିଂ ନିୟମ ବାଧ୍ୟତାମୂଳକ କରାଯାଇଛି । ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଇ-ଫାଇଲିଂ ବ୍ୟବସ୍ଥା ଦ୍ବାରା ମାମଲା ଦାୟର କରିବେ । ଏହି ପ୍ରସଙ୍ଗରେ ସମସ୍ୟା ହେଲେ ହାଇକୋର୍ଟଙ୍କ ଇ-ଫାଇଲିଂ ଷ୍ଟେସନର ସହାୟତା ନିଆଯାଇପାରିବ ବୋଲି ଏ ସମ୍ପର୍କିତ ହାଇକୋର୍ଟଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ବିଭିନ୍ନ ସମୟରେ ହାଇକାର୍ଟଙ୍କ ନିର୍ଦ୍ଦେଶ ପାଇବା ପାଇଁ ସରକାରୀ ବିଭାଗଗୁଡିକୁ ଆଉ ବହୁ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।
ସେହିପରି କେନ୍ଦ୍ର ସରକାରଙ୍କ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରୁ ହାଇକୋର୍ଟରେ ମାମଲାଗୁଡିକର ଇ-ଫାଇଲିଂ ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି । ଏଥିସହିତ ଏଣିକି ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସମ୍ପର୍କିତ ସୂଚନା ବିଭିନ୍ନ ସରକାରୀ ବିଭାଗ ଇ-ମେଲ ମାଧ୍ୟମରେ ପାଇପାରିବେ । ଏଥିପାଇଁ ଅଟୋମେଟେଡ୍ ଇ-ମେଲ ଆଲର୍ଟ ବ୍ୟବସ୍ଥା ନଭେମ୍ବର ୧ରୁ ଆରମ୍ଭ କରାଯାଇଛି ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।