କଟକ: ଆଗକୁ ଦଶହରା । ପାର୍ବଣରେ ଅପ୍ରୀତିକର ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ପୂର୍ବ ପ୍ରସ୍ତୁତି ଜୋରସୋର ଚାଲିଛି । ରାଜଧାନୀ ପରେ କଟକରେ ପୂଜା ପ୍ରସ୍ତୁତି ବୈଠକ ସରିଛି । ହେଲେ କଟକ ପୂଜା ପ୍ରସ୍ତୁତି ବୈଠକ ପରେ କେଁ ପସିଛି । କମିଶନରେଟ ପୋଲିସର ଉପରେ ଆଙ୍ଗୁଳି ଉଠିଛି । ଏତେ ବଡ ବୈଠକରେ ସମସ୍ତଙ୍କୁ ଡକାଯାଇଥିଲା ହେଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କ ଅନୁପସ୍ଥତି ଭିନ୍ନ ଦିଗକୁ ଇସାରା କରୁଛି । ଜଣେ ଲୋକପ୍ରତିନିଧିଙ୍କୁ ପୂଜା ମିଟିଂକୁ ନିମନ୍ତ୍ରଣ ନକରିବା କମିଶନରେଟ ପୋଲିସର କାର୍ଯ୍ୟଧାରା ଓ ମତିଗତି ଉପରେ ବିରାଟ ପ୍ରଶ୍ନ ଚିହ୍ନ ଛିଡା କରିଛି ।
ଭାଇଚାର ସହର କଟକରେ ଭାଇଚାରା ଭଙ୍ଗ କରୁଛି କି କମିଶନରେଟ ପୋଲିସ ! ରାଜନୈତିକ ଚାପରେ କାମ କରୁଛି କି କମିଶନରେଟ ପୋଲିସ ! ଏଭଳି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି ପୂଜା ପ୍ରସ୍ତୁତି ବୈଠକରେ ବିଧାୟକଙ୍କ ଅନୁପସ୍ଥିତି ପରେ । ଦୁର୍ଗାପୂଜା ପାଇଁ ଗୁରୁବାର କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଡକା ଯାଇଥିଲା । ଏହି ବୈଠକରେ ସହରର ସମସ୍ତ ପୂଜା ମଣ୍ଡପର କର୍ମକାର୍ତ୍ତା, ଶାନ୍ତିକମିଟିର କର୍ମକାର୍ତ୍ତା ,ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ କଟକ ବାରବାଟୀ ବିଧାୟକଙ୍କୁ ନିମନ୍ତ୍ରଣ କରି ନଥିଲା କମିଶନରେଟ ପୋଲିସ ।
ଅନ୍ୟ ଏକ ଘଟଣା କମିଶନରେଟ ପୋଲିସକୁ କାଠଗଡାରେ ଛିଡା କରୁଛି । ଏହି ସମନ୍ବୟ ବୈଠକରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ପରାଜିତ ବିଜେଡି ପାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ସଭାକୁ ନିମନ୍ତ୍ରଣ କରାଯାଇଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ବିଜୟୀ ବିଧାୟକଙ୍କୁ ସଭାକୁ ପୋଲିସ ନିମନ୍ତ୍ରଣ କରି ନଥିଲେ ? ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ନାଁ ରାଜନୈତିକ ଚାପରେ ପୋଲିସ ଏପରି କରିଥିଲା ! ବିଧାୟକ କଂଗ୍ରେସ ଦଳର ହୋଇଥିବାରୁ ପୋଲିସ ଶାସକ ଦଳର ଚାପରେ ଏଭଳି କରିଥିଲା କି ? ଏଭଳି ଅନେକ ପ୍ରଶ୍ନ ଚର୍ଚ୍ଚାର ପରିଧିକୁ ଆସିଛି ।