କଟକ:ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ଲୋକେ ପିଣ୍ଡଦାନ କରୁଥିବାବେଳେ, ମହାଳୟା ଅମାବାସ୍ୟାରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଲାଗି ହୋଇଛି ଖଡ଼ି ରଙ୍ଗ । ଅନାଦି କାଳରୁ ପରମ୍ପରା ଅନୁଯାୟୀ ଆଜି ଦିନରେ ଆରମ୍ଭ ହୁଏ ମା'ଙ୍କ ମୂର୍ତ୍ତିରେ ରଙ୍ଗ ଲାଗି । ପରମ୍ପରା ଅନୁଯାୟୀ ଆଜି କଟକର ପ୍ରତିଟି ମଣ୍ଡପରେ ମା'ଙ୍କ ମୂର୍ତ୍ତିରେ କାରିଗର ଦେଇଛି ପ୍ରଥମ ରଙ୍ଗର ସ୍ପର୍ଶ । ଜନ୍ମାଷ୍ଟମୀରେ ମୂର୍ତ୍ତି ଗଢା ପାଇଁ ମାଟି ଅନୁକୂଳ ହୋଇଥିବାବେଳେ ସେହି ମାଟିରେ ମା'ଙ୍କର ହୁଏ ମୂର୍ତ୍ତି ନିର୍ମାଣ ।
ଦୋମାଟିଆ ପରେ ମହାଳୟାରେ ହୁଏ ମା'ଙ୍କର ଖଡ଼ି ଲାଗି । ପରମ୍ପରା ଅନୁଯାୟୀ ଆଜି ମା'ଙ୍କ ପୂର୍ଣ୍ଣ ଅବୟବ ବିଭିନ୍ନ ରଙ୍ଗରେ ସୁସଜ୍ଜିତ କରାଯାଏ ବୋଲି କହିଛନ୍ତି ପୂଜକ । ଅନ୍ୟପଟେ ପୂଜାକୁ ଦିନ କେଇଟା ବାକିଥିବାରୁ ଆଉ ଫୁରସତ ନାହିଁ କାରିଗର ହାତକୁ । ପ୍ରତିକୂଳ ପାଗ ଟିକେ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ଖୁବଶୀଘ୍ର ମୂର୍ତ୍ତି ନିର୍ମାଣ ସରିବ ବୋଲି କହିଛନ୍ତି କାରିଗର ।
ଆଉ ମାତ୍ର ୫ ଦିନ । ଆସୁଛନ୍ତି ଦୁର୍ଗତିନାଶିନୀ ମା' ଦୁର୍ଗା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିକୂଳ ପାଗ ସତ୍ତ୍ବେ କୌଣସି କାମରେ ଲାଗି ନାହିଁ ବ୍ରେକ । ଆଲୋକ ସାଜସଜ୍ଜା ଠାରୁ ଆରମ୍ଭ କରି ତୋରଣ ପର୍ଯ୍ୟନ୍ତ ସମସ୍ତ କାମ ଜୋରସୋରରେ ଚାଲିଛି । ଦୁଇବର୍ଷ ପରେ ସ୍ବାଭାବିକ ପୂଜା ହେଉଥିବାରୁ ଭକ୍ତଙ୍କ ଭିଡ଼ ଅଧିକ ରହିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ମଣ୍ଡପ କର୍ମକର୍ତ୍ତା । ଏ ନେଇ ନିଜ ଆଡୁ ପାଦେ ଆଗକୁ ଅଛି ଖାନ ନଗର ପୂଜା କମିଟି । ମଣ୍ଡପ ପକ୍ଷରୁ ନିୟୋଜିତ ହେବେ ତାଲିମପ୍ରାପ୍ତ ଯୁବ ସ୍ବେଚ୍ଛାସେବୀ ।
ଏହା ବି ପଢନ୍ତୁ- ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲିଭର ସିଟି, ମହଣ ମହଣ ଚାନ୍ଦିରେ ଝଟକିବେ ମା'