କଟକ: ବିବାଦକୁ ଆସିଲା ପୁରସ୍କାର ଘୋଷଣା ଓ ସିନେମା ଚୟନ କାର୍ଯ୍ୟ । ଏଥିରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଛବିରାଣୀ ସିନେମାର ନିର୍ଦ୍ଦେଶକ ବବି ଇସଲାମ । ନକଲ ହୋଇଥିବା ସିନେମାକୁ ପୁରସ୍କାର ଦିଆଯାଉଥିବା ବେଳେ ନିଚ୍ଛକ ଓଡ଼ିଆ କାହାଣୀକୁ ବାଦ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ବବି ।
ଏହି ପୁରସ୍କାର ଓ ସମ୍ମାନର ପୁନର୍ବିଚାର ଦାବି କରିବା ସହ ଛବିରାଣୀ ଟିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ବବି ଇସଲାମ କହିଛନ୍ତି । ୨୦୧୯-୨୦ର ଓଡ଼ିଆ ସିନେମା ପାଇଁ ପୁରସ୍କାର ଓ ସମ୍ମାନ ଘୋଷିତ ହୋଇଛି ଏବଂ ୧୮ଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ନାମ ଘୋଷଣା କରାଯାଇଛି । ଭୁବନେଶ୍ବର ସଂସ୍କୃତି ଭବନରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2019 ଘୋଷଣା କରିଯାଇଥିଲା । 2019 ଲାଗି ଜୟଦେବ ସମ୍ମାନ ପାଇବେ ପ୍ରଯୋଜକ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ସେହିଭଳି ଶ୍ରେଷ୍ଠ ଚଳଚିତ୍ର ଲାଗି ମୋହନ ସୁନ୍ଦର ଦେବ ଗୋସ୍ବାମୀ, ପ୍ରଯୋଜକ ନୀଳମାଧଵ ପଣ୍ଡା ଚଳଚ୍ଚିତ୍ର 'କାଲିର ଅତୀତ' ଲାଗି ପାଇଛନ୍ତି ପୁରସ୍କାର ।