କଟକ: କୋଭିଡ୍ ମୁକାବିଲା କରୁ କରୁ ଅଣ-କୋଭିଡ୍ ରୋଗ ନେଇ ଭୁଲିଗଲା କି ସିଏମସି ? ଧିରେ ଧିରେ ସିଲଭର ସିଟିରେ କୋରୋନା ସଂକ୍ରମଣ ଗ୍ରାଫରେ ବୃଦ୍ଧି, ଆଗକୁ ଡବଲ ଟେନସନ ଦେବ କି ? ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟଲରେ ଭୂତାଣୁ ମାଡିବା ପରେ, ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି କି ? କାରଣ ବର୍ଷା ଦିନ ଯୋଗୁଁ ଡେଙ୍ଗୁ-ମ୍ୟାଲେରିଆ ଭୟ ବି ରହିଛି । ଭଲକି ଦେଖନ୍ତୁ ସହରର ବଡ ନାଳ ଓ ଶାଖା ନାଳର ଦୃଶ୍ୟ । ଡେଙ୍ଗୁ-ମ୍ୟାଲେରିଆର ବାହକ କୁହାଯାଉଥିବା ଏହି ସବୁ ନଳା, ନା ସଫା ହେଉଛି ନା ମଶା ତେଲ ଓ ମଶା ଅଣ୍ଡା ଖାଉଥିବା ମାଛ ଛଡା ଯାଇଛି । ମେଡିକାଲ ସ୍ଥିତି ନକହିବା ଭଲ, ଯେଉଁଥିପାଇଁ ଚିନ୍ତାରେ ସହରବାସୀ ।
ଅନ୍ୟପଟେ ଲୋକଙ୍କ ସ୍ୱର ସହ ସ୍ୱର ମିଶାଇଛନ୍ତି ସିଏମସିର ପୂର୍ବତନ କର୍ପୋରେଟର ଗିରିଵାଳା ବେହେରା । ତାଙ୍କ କହିବାନୁଯାୟୀ କଟକ ସହରରେ ଯେପରି କରୋନା ରୋଗୀ ବୃଦ୍ଧି ପାଉଛି, ଆଗକୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବା ନେଇ ଆଶଙ୍କା ରହିଛି । କାରଣ ସିଏମସି ଯାହା କରୁଛି ତାହା ସମସ୍ତଙ୍କୁ ଜଣା । ବର୍ତ୍ତମାନ ସମୟରେ କରୋନା ଚିନ୍ତା ରହିବା ସ୍ୱାଭାଵିକ । କିନ୍ତୁ ତା ମାନେ ନୁହେଁ ଯେ ଅନ୍ୟ ରୋଗ ଯେପରିକି ଡେଙ୍ଗୁ ଓ ମ୍ୟାଲେରିଆକୁ ପ୍ରତିହତ କରିବା ଦିଗରେ ହାତ ପୁରା ଫାଙ୍କା କରି ବସିବା । ଅନ୍ୟପଟେ କଟକର ସମସ୍ତ ନାଳ ଓ ଶାଖା ନାଳକୁ ସଫା କରିବା ସହ ପାଖରେ ଥିବା ଗଛ ମଧ୍ୟ କାଟିବା ଆରମ୍ଭ କରିଛି ସିଏମସି । ଏହାଛଡା ନାଳରେ ମଶା ଅଣ୍ଡା ଖାଉଥିବା ମାଛ , ମଶା ତେଲ ଇତ୍ୟାଦି ପକାଯାଉଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।