କଟକ:ବ୍ରହ୍ମପୁରର ଦୀପିକା ଏବଂ ଦିନେଶଙ୍କ ବିବାଦ ମାମଲାରେ ଧୀରେ ଧୀରେ ଦିନେଶଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଦିନେଶଙ୍କ ବିରୁଦ୍ଧରେ ମହିଳା କମିଶନଙ୍କ ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେ. ଦୀପିକା । ଦିନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦୀପିକା । ପୂର୍ବରୁ ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇ ଥିବା ଦୀନେଶଙ୍କୁ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଥିଲେ । ମାତ୍ର କୋର୍ଟଙ୍କ ସର୍ତ୍ତକୁ ଦିନେଶ ପୂରଣ କରିନଥିବା ଦୀପିକା ଅଭିଯୋଗ ଆଣିଛନ୍ତି ।
ଜାମିନ ସମୟରେ କୋର୍ଟ ଯେଉଁ ସବୁ ସର୍ତ୍ତ ରଖିଥିଲେ ସେଗୁଡିକୁ ଦିନେଶ ଉଲ୍ଲଙ୍ଘନ କରିଥିବା ନେଇ ଦୀପିକା ହାଇକୋର୍ଟରେ ଦାଖଲ କରିଥିବା ନିଜ ମେମୋରେ ଉଲ୍ଲେଖ କରିଛନ୍ତି । ଦିନେଶ ବାହାରେ ରହି ଦୀପିକାଙ୍କୁ ଧମକାଇବା ସହ ପ୍ରଲୋଭିତ କରୁଛନ୍ତି । ତେଣୁ ଦିନେଶଙ୍କ ଜାମିନ ମାମଲାର ତୁରନ୍ତ ଶୁଣାଣି କରାଯାଉ ବୋଲି ଦର୍ଶାଇ ଦୀପିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାଟି ଆସନ୍ତା ସପ୍ତାହରେ ବିଚାର ପାଇଁ କୋର୍ଟଙ୍କ ସମ୍ମୁଖକୁ ଆସିପାରେ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ ।
ସେପଟେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଦୀପିକା ହାଜର ହୋଇଥିବା ବେଳେ ଦିନେଶ ହାଜର ହୋଇନାହାନ୍ତି । ନିଜକୁ ସ୍ତ୍ରୀ ଓ ସନ୍ତାନକୁ ପରିଚୟ ଦାବିରେ ଦୀର୍ଘ ୭୩ ଦିନ ଧରି ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଦିନ ଗଡିବାକୁ ଲାଗିଛି ହେଲେ କିଛି ସୁଫଳ ମିଳୁନାହିଁ । ପାରିବାରିକ ସମସ୍ୟାର ସମାଧାନ ବାଟ ବାହାରି ପାରୁନାହିଁ । ତେଣୁ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।