କଟକ:ମୁଣ୍ଡ ଉପରେ ଶାରଦୀୟ ଦୁର୍ଗାପୂଜା । ଦିନ କେଇଟା ପରେ ଧରାବତରଣ କରିବେ ମା' ଜଗତଜନନୀ । ପୂଜା ପାଠରେ ପ୍ରକମ୍ପିତ ହେବ ଗାଁଠୁ ସହର । ମା' ଦୁର୍ଗାଙ୍କ ପୂଜା ପାଇଁ ସହର ବଜାର ଚଳଚଞ୍ଚଳ ରହିଥିବା ବେଳେ ଭାଇଚାରା ସହର କଟକରେ ମଧ୍ୟ ଜୋରଦାର ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ସହରର ପ୍ରାୟ ୧୭୦ଟି ପୂଜା ମଣ୍ଡପରେ ମହାମାୟୀଙ୍କ ପୂଜାର୍ଚ୍ଚନା ହେବ । ତେବେ ସାଜସଜ୍ଜା ପାଇଁ ସହରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ସେଥିପାଇଁ ସବୁ ମଣ୍ଡପ ଆଗରେ ବାଉଁଶ ବନ୍ଧା ଓ ଆଲୋକମାଳା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ଶ୍ରଦ୍ଧାଳୁଙ୍କ ମନ ମୋହିବାକୁ ଆକର୍ଷଣୀୟ ତୋରଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତେ । ତେବେ ଏସବୁ ମଧ୍ୟରେ ଏଥର କଟକ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ ହେବ ଖାନନଗର ପୂଜା ମଣ୍ଡପର ଅମରନାଥ ଗୁମ୍ଫା ତୋରଣ ।
ପ୍ରତିବର୍ଷ ଦୁର୍ଗାପୂଜା ସାଜସଜ୍ଜାରେ ଖାନନଗର ପୂଜା ମଣ୍ଡପ ଚର୍ଚ୍ଚାରେ ରହିଥାଏ । ସବୁଥର ଭଳି ଏଥର ମଧ୍ୟ ଏହି ପୂଜା ମଣ୍ଡପ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ । ଖାନନଗର ମଣ୍ଡପରେ ପ୍ରାୟ ୭୦ ଫୁଟ ଉଚ୍ଚତାର ଅମରନାଥ ଗୁମ୍ଫା ଫାଟକ ସଦୃଶ ତୋରଣ ତିଆରି କରାଯିବ । ଏଥିପାଇଁ ବାଉଁଶ ବନ୍ଧା କାମ ଶେଷ ହୋଇଥିବା ବେଳେ ଅମରନାଥ ଗୁମ୍ଫା ପାଇଁ କୃତ୍ରିମ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ପୂଜା ମଣ୍ଡପରେ ଅତ୍ୟାଧୁନିକ ଆଲୋକମାଳା ଲଗାଯିବ । ସେହିପରି ଏଠାରେ ମହଣ ମହଣ ଚାନ୍ଦିରେ ଶୋଭା ପାଇବେ ମା' ଜଗତଜନନୀ ।
ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ସିଲଭର ସିଟିରେ ମହା ଆଡ଼ମ୍ବରରେ ହେବ ଦଶହରା ପର୍ବ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାରରେ ଚାଲିଛି । ମା'ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଅନେକ ମଣ୍ଡପରେ ମା'ଙ୍କ ଦୋମାଟି କାମ ଶେଷ ହୋଇଥିବା ବେଳେ ଆସନ୍ତା ଖଡି ଅମାବାସ୍ୟାରୁ ରଙ୍ଗ କାମ ହେବ । ସେହିପରି ମଣ୍ଡପ ଆଗରେ ଆଲୋକମାଳା ସହିତ ସାଜସଜ୍ଜା କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି ।