କଟକ: ନକଲି ଔଷଧ ମାମଲାରେ(Cuttack Fake Medicine Case) ରାହୁଲ କ୍ୟାଲ୍ର ଜାମିନ ଖାରଜ ହୋଇଛି । ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ରାହୁଲର ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି । ନକଲି ଔଷଧ କାରବାର ଅଭିଯୋଗକୁ ନେଇ ପୁରୀଘାଟ ଥାନାରେ ଭିଆର ଡ୍ରଗ୍ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍, ପୂଜା ଏଣ୍ଟରପ୍ରାଇଜେସ୍ର ମାଲିକ ସଞ୍ଜୟ ଜଲାନ୍ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍ଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ରାହୁଲ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ରେ କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା ।