କଟକ:କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି (Cuttack Druggist Association Cancels Membership Of 2 Distributors) । ଏନେଇ କଟକ ଡିସିପି କହିଛନ୍ତି, ''ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଏହା ଏକ ସମ୍ବେଦନଶୀଳ ଘଟଣା । ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି'' । ଅନ୍ୟପଟେ ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ ।
ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଦ କରିଛି ସଂଘ । ଏଥିସହ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ଏହି ନକଲି କାରବାର କରୁଥିବା ଦୁଇ ହୋଲସେଲର ହେଉଛନ୍ତି ପୂଜା ଏଣ୍ଟରପ୍ରାଇଜେସ, ଭିଆର ଡ୍ରଗ ଏଜେନ୍ସି । ତେବେ ଉଭୟଙ୍କ ନାମରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ନକଲି ଔଷଧ କାରବାର ମାମଲା, ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା
ସୂଚନାନୁସାରେ, ଶନିବାର କଟକରେ ନକଲି ଔଷଧ କାରବାର ଉପରେ ମଧ୍ୟ ଚଢ଼ଉ ହୋଇଛି । ''ଗ୍ଲେନମାର୍କ ଫାର୍ମା" ବ୍ରାଣ୍ଡରେ ବିକ୍ରି କରାଯାଉଥିଲା ଏହି ନକଲି ଔଷଧ । ତେବେ ଏହି ଘଟଣା ଜଣାପଡିବା ପରେ ଏହାର କାରବାର ଉପରେ କଟକଣା ଲାଗୁ କରାଯାଇଛି । ଏନେଇ କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି । ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସକୁ କଳା ତାଲିକାଭୁକ୍ତ କରାଯାଇଛି । ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୁଦ୍ଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ।