କଟକ: ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ସୋମବାର କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ସଂଗ୍ରାମ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୁଦ୍ଧରେ ବାଦାମବାଡି ଠାରେ ଥିବା ବିଦ୍ୟୁତ ମୁଖ୍ୟଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ।
ଟାଟା କମ୍ପାନୀ ଦ୍ବାରା ବିଦ୍ୟୁତ ଶୁଳ୍କ ପୁଣି 30 ପଇସା ବୃଦ୍ଧିକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରିଛି ଦଳ । କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ଥିବା ସମୟରେ ବିଦ୍ୟୁତ ଆଵଣ୍ଟନ କମ୍ପାନୀ ଦ୍ବାରା ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧି ଯୋଗୁ ସାଧାରଣ ଜନତା ଅଣନିଶ୍ବାସୀ ହୋଇ ସାରିଲେଣି ବୋଲି ଦଳ କହିଛି । ଅନ୍ୟ ପକ୍ଷରେ ବକେୟା ବିଦ୍ୟୁତ ଦେୟକୁ ମାର୍ଚ୍ଚ ମାସର ଆଳ ଦେଖାଇ ଲୋକଙ୍କଠାରୁ ଜୋର ଜବରଦସ୍ତ ଆଦାୟ ଏବଂ ନ ଦେଇପାରିଲେ ବିଦ୍ୟୁତ କାଟ ବନ୍ଦ କରିବା, ବକେୟା ଆଦାୟ ପାଇଁ ଲୋକମାନଙ୍କୁ ସହଜ କିସ୍ତିର ସୁବିଧା ଦେବା ସହିତ ବିଭାଗୀୟ ଜୁଲମ ବନ୍ଦ କରିବାକୁ ଦଳ ପକ୍ଷରୁ ମୁଖ୍ୟ ଯନ୍ତ୍ରୀଙ୍କୁ ଦାବି କରାଯାଇଥିଲା ।