କଟକ:ପ୍ରାୟ ଦେଢ଼ ବର୍ଷ ପୂର୍ବେ କୋଭିଡ ଡ୍ୟୁଟି କରି ପଇସା ପାଇବା ପରେ ନୂଆ ମୋବାଇଲ କିଣିଥିଲି । ହେଲେ ଏକ ଘରୋଇ ହସ୍ପିଟାଲରେ ଡ୍ୟୁଟି କରୁଥିବା ସମୟରେ ମୋ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲି । ଆଜି ମୋର ମୋବାଇଲ ପାଇଗଲି । ଦେଢ଼ ବର୍ଷ ଧରି ମୋବାଇଲ ପାଇବାକୁ ଅନେକ ଚେଷ୍ଟା କରିଛି । ହେଲେ ଆଜି ମୁଁ ମୋ ଫୋନ୍ ପାଇ ବହୁତ ଖୁସି ଅଛି । ଏପରିକି ହଜିଲା ମୋବାଇଲ ପୁଣିଥରେ ପାଖରେ ପାଇ ଖୁସିରେ ବିଭୋର ହୋଇ କାନ୍ଦି ପକାଇଥିଲେ ଏହି ଯୁବତୀ ଜଣକ । ନିଜେ ରୋଜଗାର କରି ପଇସା କିଛି ସଞ୍ଚୟ କରି ମୋବାଇଲ କିଣିଥିଲେ କ୍ରିଷ୍ନା ସାଗରିକା ସିଂହ । ପୋଲିସ ଉକ୍ତ ଚୋରା ମୋବାଇଲକୁ ଫେରାଇଥିବାରୁ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି । କେବଳ ସାଗରିକାଙ୍କ ଗୋଟିଏ ମୋବାଇଲ ନୁହେଁ ବରଂ ଆଜି ୧୬୦ଟି ଚୋରା ମୋବାଇଲକୁ ଜବତ କରି ପ୍ରକୃତ ହିତାଧିକାରୀଙ୍କୁ ଫେରାଇଛି କଟକ କମିଶନରେଟ ପୋଲିସ ।
ସହରର ବିଭିନ୍ନ ଥାନାରେ ଏହି ସବୁ ଚୋରି ମୋବାଇଲକୁ ଫେରାଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି ପୋଲିସ। ଅନେକ ସମୟରେ ଲୋକଙ୍କ ଖାମଖିଆଲି ନୀତି ଯୋଗୁଁ ମୋବାଇଲକୁ ହରାଇ ଥାଆନ୍ତି । କେତେବେଳେ ଗାଡ଼ି ଡ୍ରାଇଭିଂ ବେଳେ ଫୋନରେ କଥା ହେବା ସମୟରେ ଲୁଟେରାଙ୍କ ଶିକାର ହୋଇଥାନ୍ତି ତ କେତେବେଳେ ଅଜାଣତରେ ମୋବାଇଲକୁ ଅନ୍ୟତ୍ର ଛାଡି ଦେଇଥାନ୍ତି ଲୋକେ ।