କଟକ:ପୂଜା ମଣ୍ଡପରୁ ମେଲାଣୀ ନେଉଛନ୍ତି ମା' ଜଗତଜନନୀ । ଦଶଭୂଜା ଭକ୍ତଙ୍କୁ ଦର୍ଶନ ଦେଇ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଦଶହରା ସରିଛି ଏବେ ବିଦାୟ ନେଉଛନ୍ତି ମା'। ଟ୍ବିନ ସିଟି କଟକର ପ୍ରାୟ ସମସ୍ତ ପୂଜା ମଣ୍ଡପରୁ ମା' ଦୁର୍ଗା ଶୋଭାଯାତ୍ରାରେ ବାହାରି ସାରିଛି । ପରମ୍ପରା ଅନୁଯାୟୀ ମେଢ଼ ପ୍ରଥମେ ସାହି ବୁଲିବ । ଏହା ପରେ ଶୋଭାଯାତ୍ରାରେ ଦେବୀଗଡା ଅଭିମୁଖେ ବାହାରିବ ମେଢ଼ । ଆର ବର୍ଷକୁ ମାଆଙ୍କ ଅପକ୍ଷାରେ ଭକ୍ତ ।
ପାରମ୍ପରିକ ବାଦ୍ୟ,ଘଣ୍ଟ ,ଘଣ୍ଟା ,ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠିଛି କଟକ ସହର । ଦେବୀଗଡାରେ ମା'ଙ୍କ ମୂର୍ତ୍ତି ବିସର୍ଜନ କରାଯିବ । ଏଥିପାଇଁ ୩ଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି । ଏଯାଏଁ ୧୬ଟି ମେଢ଼ର ବିସର୍ଜନ କରାଯାଇ ସାରିଲାଣି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣୀ ହେଉଛି । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଏମସି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି ।