କଟକ: ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ବତନ୍ତ୍ର ଅଦାଲତ। ଏହାସହିତ ୧୧ଟି ଜେଏମଏଫସି କୋର୍ଟ ମଧ୍ୟ ସ୍ଥାପନ ହେବ। ପ୍ରତି ୩ ଟି ଜିଲ୍ଲା ପାଇଁ ଗୋଟିଏ କୋର୍ଟ ସ୍ଥାପନ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ସମୟ ଦେବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି।
ପୂର୍ବରୁ ମଧ୍ୟ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି କେଉଁ ରାଜନେତାଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହାସହ ଅଦାଲତ ପାଇଁ ବିଲ୍ଡିଂ ଓ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବେ। ତିନୋଟି ରାଜସ୍ବ ଡିଭିଜନ ଅଧୀନରେ ଏହି ତିନୋଟି ସ୍ବତନ୍ତ୍ର ଅଦାଲତ ସ୍ଥାପନ ହେବ। ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଥିଲେ। ଏହି ନିର୍ଦ୍ଦେଶ ଆଧାରରେ ନିଜ ଆଡୁ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।