କଟକ: ସମସ୍ତଙ୍କୁ ତଳିତଳାନ୍ତ କରିଦେଲାଣି କୋରୋନା । ମୃତ୍ୟୁର ଆର୍ତ୍ତନାଦରେ ଥରହର ହେଉଛି ଦେଶ । କଟକଣା ଭିତରେ ଜୀବନ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ଏପଟେ ଉଜୁଡି ଯାଉଛି ଜୀବିକା । କୋରୋନାର ଆଁ ଭିତରେ ସବୁକିଛି ପ୍ରାୟ ବିଲୀନ ହେବାକୁ ବସିଛି । ଯେଉଁଥିରୁ ବାଦ୍ ପଡିନି ସିନେମା ହଲ ବ୍ୟବସାୟ । ପ୍ରଥମ ଲହର ବିଭୀଷିକାରୁ ହଲ ବ୍ୟବସାୟୀ ଟିକେ ଅଣ୍ଟା ସଳଖୁ ସଳଖୁ ପୁଣି ପଡିଛି ଦ୍ବିତୀୟ ଲହରର ଶକ୍ତ ପ୍ରହାର । କଟକର ସିନେମା ହଲ ବ୍ୟବସାୟକୁ ଲକ୍ଷ୍ୟ କଲେ କୋରୋନାର ଭୟାବହତା ସ୍ପଷ୍ଟ ବାରି ହେଉଛି । ପୂର୍ବରୁ ସିଲଭର ସିଟିରେ 8 ଟି ସିନେମା ହଲ ଥିବାବେଳେ ଏବେ ମାତ୍ର 5ଟି ରହିଛି ।
କୋରୋନା କୋପ, ଅନିଶ୍ଚିତତାରେ ସିନେମା ପ୍ରେକ୍ଷାଳୟ ବ୍ୟବସାୟ - କଟକ ସିନେମା ହଲ
ମୃତ୍ୟୁର ଆର୍ତ୍ତନାଦରେ ଥରହର ହେଉଛି ଦେଶ । କଟକଣା ଭିତରେ ଉଜୁଡି ଯାଉଛି ଜୀବନ ଜୀବିକା । ସେହିଭଳି କୋରୋନା କଟକଣା ଯୋଗୁଁ ସିନେମା ହଲ ବ୍ୟବସାୟ ଖୁବ୍ କ୍ଷତିଗ୍ରସ୍ତ ହୋଇଛି । ଏହି ବ୍ୟବସାୟରୁ ପରିବାର ଚଳାଉଥିବା ଲୋକେ ଏବେ ହାତ ବାନ୍ଧି ବସିଛନ୍ତି । ଅଧିକ ପଢନ୍ତୁ....
ଗତବର୍ଷ ମାର୍ଚ୍ଚ ମାସରେ କୋରୋନା ଯୋଗୁଁ ଖୁବ୍ ପ୍ରଭାବିତ ହୋଇଥିଲା ସିନେମା ହଲ ବ୍ୟବସାୟ । ସାଧାରଣତଃ ଏପ୍ରିଲ ମେ ମାସରେ ଏହି ବ୍ୟବସାୟ ଜମୁଥିବାବେଳେ ଲକଡାଉନ ସଟଡାଉନ କଟକଣାରେ ବ୍ୟବସାୟ ପୁରା ଠପ୍ ହୋଇଯାଇଥିଲା । ହଲରେ ରିଲିଜ ହେବାକୁ ଥିବା ଫିଲ୍ମଗୁଡିକ ବନ୍ଦ ହୋଇଗଲା । ଯେଉଁ କାରଣରୁ କେବଳ ସିନେମା ହଲ ମାଲିକ ନୁହଁନ୍ତି, ଏଥିରୁ ପରିବାର ପୋଷୁଥିବା ଫୁଡ କାଉଣ୍ଟର, ଟିକେଟ କାଉଣ୍ଟର ବ୍ୟବସାୟୀ, କଳାକାର, ବିତରକ, ଟେକ୍ନିସିଆନମାନେ ରୋଜଗାର ହରାଇଥିଲେ । ତେବେ ପରବର୍ତ୍ତୀ ସମୟରେ କୋରୋନା ସ୍ଥିତି ସୁଧୁରିବାରୁ ସରକାର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଅନେକ ହଲ ମାଲିକ କମ ଲାଭରେ ହଲ ଖୋଲିଥିଲେ । ଆଶାଥିଲା କିଛିଦିନ ପରେ ବ୍ୟବସାୟ ଜମିବ । ମାତ୍ର ସବୁକିଛି ପାଣି ଫୋଟକା ପରି ମିଳାଇଗଲା ।କୋରୋନାର ଦ୍ୱିତୀୟ ଲହର ପାଇଁ ସରକାର ପୁନର୍ବାର ଲକଡାଉନ ଘୋଷଣା କରିଛନ୍ତି । ଯଦ୍ବାରା ସିନେମା ହଲଗୁଡିକରେ ମଧ୍ୟ ତାଲା ଝୁଲିଛି ।
ସବୁଠାରୁ ବଡ଼ କଥା ହେଉଛି କୋରୋନା ପାଇଁ କଟକର ୩ ଟି ସିନେମା ହଲକୁ ସବୁଦିନ ପାଇଁ ବନ୍ଦ କରିଦେଲେ ହଲ ମାଲିକ । କେବଳ ସେତିକି ନୁହେଁ ପ୍ରେକ୍ଷାଳୟ ଉପରେ ନିର୍ଭର କରି ନିଜର ପରିଵାର ଚଳାଉଥିବା ଅନେକ କର୍ମଚାରୀ ମଧ୍ୟ ଏହାଦ୍ୱାରା ଢେର ପ୍ରଭାବିତ ହୋଇଛନ୍ତି । ସେହିପରି ବର୍ଷକୁ ପ୍ରାୟ ଦେଢ଼ କୋଟି ଟଙ୍କାର କ୍ଷତି ସହୁଥିବା କହିଛନ୍ତି ହଲ ମାଲିକ । ତେବେ ସରକାର ଯଦି ପ୍ରେକ୍ଷାଳୟ ମାଲିକ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରନ୍ତି, ତେବେ ବ୍ୟବସାୟରେ କିଛି ମାତ୍ରାରେ କ୍ଷତି ଭରଣା ହୋଇପାରନ୍ତା ବୋଲି ସିନେମା ହଲ ମାଲିକ ସଙ୍ଘ ପ୍ରକାଶ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ