କଟକ: ଶୁକ୍ରବାର ଠାରୁ କଟକରେ ଦିଆଯିବ ମାଗଣା ବୁଷ୍ଟର ଡୋଜ । ଏଥିପାଇଁ ୪ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ସିଡ଼ିଏ, ସିଟି ହସ୍ପିଟାଲ, ଚାଉଳିଆଗଞ୍ଜ ଓ କଟକ ବଡ଼ ମେଡ଼ିକାଲରେ ଟୀକାକରଣ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।
ପୂର୍ବ ଭଳି କୋରୋନାର ପ୍ରକୋପ ଦେଖାଯାଉ ନଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି । କୋରୋନାକୁ ମାତ୍ ଦେବା ପାଇଁ ଯଦିଓ କୌଣସି ସ୍ୱତନ୍ତ୍ର ଔଷଧ ପ୍ରସ୍ତୁତ ହୋଇପାରି ନାହିଁ ତଥାପି ଟିକା ଏହାକୁ ମାତ୍ ଦେଇପାରେ ବୋଲି ଆକଳନ କରାଯାଉଛି । କାରଣ ଟୀକା ନେଇଥିବା ବ୍ୟକ୍ତିଙ୍କ ଉପରେ କୋରୋନା କୌଣସି ପ୍ରଭାବ ପକାଇପାରୁନଥିବା ଜଣାପଡିଛି । ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋରୋନାର ବିଶେଷ ପ୍ରଭାବ ପଡୁନଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ତୃତୀୟ ଡୋଜ ଅର୍ଥାତ ବୁଷ୍ଟର ଡୋଜ ମାଗଣାରେ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।