କଟକ:ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦରେ ପଡୁନି ପୂର୍ଣ୍ଣଛେଦ । ପୂଜା କମିଟି ଶାନ୍ତି କମିଟିର ବୈଠକ ପରେ ଆସନ୍ତାକାଲି ଆସିବ ନିଷ୍କର୍ଷ । ସରକାର ଏହି ଦିଗରେ କାଲି ଆଣିବେ ଚରମ ନିଷ୍ପତି । ମୂର୍ତ୍ତି ବଡ଼ ହେବ କି ସେହି 4 ଫୁଟରେ ସୀମିତ ରହିବ ତାହା ସ୍ପଷ୍ଟ ହେବା ରହିଛି ବାକି ।
ଆସିଛି ପାର୍ବଣ ଋତୁ । ମା’ ଙ୍କ ଆଗମନରେ ଆରମ୍ଭ ହୋଇଯାଇଛି ପୂଜା ପେଣ୍ଡାଲର ପ୍ରସ୍ତୁତି । କିନ୍ତୁ ମା ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଫସିଛନ୍ତି ବିଭିନ୍ନ ପୂଜା କମିଟି । ଏ ଭଳିସ୍ଥିତିରେ କିନ୍ତୁ ଅନେକ ପୂଜା କମିଟିରେ ଆରମ୍ଭ ହୋଇଛି ମାଆଙ୍କ ଗହଣା ମରାମତି କାମ । ମା ଯେଉଁ ଚାନ୍ଦିର ହାର ମୁକୁଟ ପିନ୍ଧନ୍ତି ତାହାକୁ ପୁନଃ ମରାମତି ଆରମ୍ଭ କରିଛନ୍ତି ପୂଜା କମିଟି । ଏହା ସହ ଗତକାଲି ବାଲୁବଜାର ପୂଜା କମିଟି ଉଚ୍ଚତା ଓ ପୂଜା ପ୍ରସଙ୍ଗରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । କିନ୍ତୁ ଶାନ୍ତି କମିଟି ଆସନ୍ତାକାଲିକୁ ଅପେକ୍ଷା କରିବ ବୋଲି କହିଛନ୍ତି ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ । ଅନ୍ୟପଟେ ଆଜିଠୁ ଅନଶନକୁ ଓହ୍ଲାଇଛନ୍ତି ଅନେକ ସାମାଜିକ ସଙ୍ଗଠନ । ଆଉ ଯଦି ସରକାର ଉଚ୍ଚତା ପ୍ରସଙ୍ଗକୁ ଅଗ୍ରାହ୍ୟ କରନ୍ତି ତେବେ ଆଗମୀ ଦିନରେ ଅନଶନ ଜାରି ରହିବା ନେଇ ମଧ୍ୟ ଆଲୋଚନା ହେଉଛି।