କଟକ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଓବିସିଙ୍କ ଲାଗି କୌଣସି ଆସନ ସଂରକ୍ଷଣ ନ ରହିବା ପ୍ରସଙ୍ଗକୁ ଏହି ଆବେଦନରେ ବିରୋଧ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ୨୦୨୧ ଡିସେମ୍ବର ୨୭ରେ ପ୍ରକାଶିତ ସଂଶୋଧିତ ସଂରକ୍ଷଣ ଚିଠା ତାଲିକାକୁ ବେଆଇନ ଓ ଅସାମ୍ବିଧାନିକ ବୋଲି ଆବେଦନରେ ଦର୍ଶାଇଛି କଂଗ୍ରେସ ।
ପଛୁଆ ବର୍ଗଙ୍କ ଆସନ ସଂରକ୍ଷଣ ପ୍ରସଙ୍ଗରେ ସରକାର କେବଳ ଏକ କମିଶନ ବସାଇ ଚୁପ୍ ବସିଛନ୍ତି । ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନାହିଁ ବୋଲି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ସରକାର ସାନି ଚିଠା ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ହାଇକୋର୍ଟଙ୍କୁ କହିଥିଲେ । ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ହାଇକୋର୍ଟ କିଛି ମତ ଦେଇ ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରାଯାଇଛି ବୋଲି ସରକାର କହୁଛନ୍ତି ଯାହା କି ଗ୍ରହଣୀୟ ନୁହେଁ ।