କଟକ: ଘର ସାଜସଜ୍ଜା କାହାକୁ ଅବା ପସନ୍ଦ ନୁହେଁ । ସେ ଘରର ରଙ୍ଗ ହେଉ କି ଭଳିକି ଭଳି ଆକର୍ଷଣୀୟ ସାମଗ୍ରୀ, ଯେମିତି ବି ହେଉ ନିଜ ଘରକୁ ସୁନ୍ଦର କରିବା ପାଇଁ ସମସ୍ତଙ୍କ ରହିଥାଏ ଅଳ୍ପ ବହୁତ ଆଗ୍ରହ । ହେଲେ ନଡିଆ ସଢେଇରୁ ଘର ସଜାଇବା କଥା ହୁଏତ କେହି କେବେ ଭାବିଥିବେ । ଯାହା ସମ୍ଭବ କରିଦେଖାଇଛନ୍ତି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ ଭୋଇ ବା ସଭିଙ୍କ ପ୍ରିୟ କାହ୍ନୁ ଭାଇ । ଯିଏ ନିଜର ନିଆରା କଳାକୁ ଏବେ ଜୀବିକାରେ ପରିଣତ କରିଥିବା ବେଳେ ଏହି ସବୁ ସାମଗ୍ରୀର ବିକ୍ରି ପାଇଁ ବଜାର ବସିବାକୁ ଚାହିଁ ବସିଛନ୍ତି ।
ପୂର୍ବରୁ ମନ୍ଦିର ଓ ବିବାହ ବ୍ରତଘରରେ ନିଜ ତୁଳୀର ସ୍ପର୍ଶରେ ସେ ଆଙ୍କୁଥିଲେ ସୁନ୍ଦର ସୁନ୍ଦର ଛବି । ଯାହାକୁ ସ୍ଥାନୀୟ ଲୋକେ ବେଶ ପସନ୍ଦ କରୁଥିବା ବେଳେ ତାଙ୍କ କଳାର ରହିଥିଲା ଢେର ଚାହିଦା । ହେଲେ ରାଜ୍ୟରେ ରହିଥିବା ଲୁକାୟିତ କଳାକୁ ଲୋକ ଲୋଚନକୁ ଆଣୁଥିବା ବାଲିଯାତ୍ରା ଓ ତୋଷାଳୀ ମେଳାରେ ସତେ ଯେମିତି ନିଜ ଜୀବିକାର ଏକ ନୂଆ ରାହା ପାଇଥିଲେ କାହ୍ନୁ । ଭଳିକି ଭଳି କାରୁ କାର୍ଯ୍ୟ ଓ କଳା ଦେଖି ହାତରେ ମୁଠାଏ ଆଶା ସାଉଣ୍ଟି ଆଣିଥିଲେ କାହ୍ନୁ । ଆଉ ଏହାପରେ ସେ ଆରମ୍ଭ କରନ୍ତି ନଡିଆ ସଢେଇରୁ କାରୁକାର୍ଯ୍ୟ । ପ୍ରଥମେ ସଢେଇକୁ ଦେଖି ଏକ କପ୍ ଭଳି ମନେ ହେଉଥିବାରୁ ମନର ଛବିକୁ ବାସ୍ତବତାରେ ପରିଣତ କରି ସେ ପ୍ରସ୍ତୁତ କରିଥିଲେ ଘର କରଣା ଓ ଘର ସଜ୍ଜା ସାମଗ୍ରୀ ।