କଟକ: ମାଡି ଆସୁଛି ମୌସୁମୀ । ଚିନ୍ତାରେ କଟକ ବାସିନ୍ଦା । କାରଣ ଅସରାଏ ବର୍ଷା ହେଲେ ଜଳବନ୍ଦୀ ହୋଇଯାଏ ପୁରା ସହର । ଚାରିଆଡେ କୃତ୍ରିମ ନଦୀ ସୃଷ୍ଟି ହୁଏ । ଯେଉଁଥି ପାଇଁ ଘର ବାହାରିବାର ଏକ ପ୍ରକାର ମୁସ୍କିଲ ହୋଇପଡେ । ଏଥର କିନ୍ତୁ ସହରକୁ ଜଳବନ୍ଦୀ ହେବାରୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଛି ସିଏମସି । ଫୁଲ ଦମରେ ରାସ୍ତା କଡର ନାଳ ନର୍ଦ୍ଦମା ସଫା କରାଯାଉଛି । ଏଥିପାଇଁ ଦିନ ରାତି ଏକ କରିଦେଇଛନ୍ତି ସିଏମସି କର୍ତ୍ତୃପକ୍ଷ ।
ବଜ୍ରକବାଟୀ ବଡ଼ ନାଳ ଠାରୁ ଆରମ୍ଭ କରି ରାଉସାପାଟଣା, ସେମିନାରୀ ଛକ ଶାଖା ନାଳ ପର୍ଯ୍ୟନ୍ତ ସମସ୍ତ ଡ୍ରେନକୁ ବଡ଼ ବଡ଼ ଡ୍ରୋଜର ଲଗାଇ ସଫା କରାଯାଉଛି । ଏନେଇ ସିଏମସି କମିଶନର କୁହନ୍ତି, ଚଳିତ ବର୍ଷ ଜଳବନ୍ଦୀ ସମସ୍ୟା ଉପୁଜିବ ନାହିଁ କି ଲୋକମାନେ ଅସୁବିଧାର ସମ୍ମୁଖିନ ହେବେ ନାହିଁ । ଏପଟେ କିନ୍ତୁ ସିଏମସିର ଯୁଦ୍ଧକାଳୀନ ଭିତ୍ତି କାର୍ଯ୍ୟକ୍ରମକୁ କଟକ ବାସିନ୍ଦା ‘ବାହାଘର ବେଳେ ବାଇଗଣ ରୂଆର’ ଆଖ୍ୟା ଦେଇଛନ୍ତି ।