କଟକ:ଦିନକ ପରେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ବ ପରମ୍ପରା ଅନୁଯାୟୀ ନଦୀରେ ଡ଼ଙ୍ଗା ଭସାଯାଏ । ସଭିଏଁ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ହେଲେ ଚଳିତ ବର୍ଷ ନଦୀରେ ଡ଼ଙ୍ଗା ଭସାଇ ପାରିବେ ନାହିଁ କଟକବାସୀ । ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆସିବା ପରେ କଟକିଆ ନିରାଶ ହୋଇଯାଇଛନ୍ତି । ଶ୍ରଦ୍ଧାଳୁ ମାନେ ଯେତିକି ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ଠାରୁ ଅଧିକ ଭାଙ୍ଗି ପଡିଛନ୍ତି ଡ଼ଙ୍ଗା ତିଆରି କରୁଥିବା ବ୍ୟବସାୟୀ ।
କଟକ ଚାଉଳିଆଗଞ୍ଜ ଅଞ୍ଚଳର ସୁକାନ୍ତି ସାହୁ । ଯିଏକି ଆଜିକୁ ୩୫ ବର୍ଷ ଧରି ଡ଼ଙ୍ଗା ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ହେଲେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସବୁ ଆଶା ଆଶାରେ ରହିଗଲା। ବାଣ ଫୁଟା ଭଳି ଟିକିଏ ଆଶା ରହିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ସବୁ ଫସର ଫାଟିଗଲା। ପୂର୍ବ ବର୍ଷ ଗୁଡିକରେ ପାଖାପାଖି ୧୫ ରୁ ୨୦ ହଜାର ଡ଼ଙ୍ଗା ତିଆରି କରି କଟକ ଓ ବିଭିନ୍ନ ଜିଲ୍ଲାଗୁଡିକୁ ଡ଼ଙ୍ଗା ବ୍ୟବସାୟ ପାଇଁ ପଠାନ୍ତି ସୁକାନ୍ତି । ହେଲେ କୋରୋନା ପାଇଁ ଚଳିତବର୍ଷ ତାଙ୍କ ବେପାର ମାନ୍ଦା ପଡିଯାଇଛି ।