କଟକ: ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ଆକ୍ସନ ମୁଡରେ କଟକ ମହାନଗର ନିଗମ(CMC) । କଟକ ସହରର ବିଭିନ୍ନ ଷ୍ଟ୍ରିଟ୍ ଫୁଡ଼ ଷ୍ଟଲରେ ଅତର୍କିତ ଚଢ଼ାଉ କଲା ସିଏମସି ଖାଦ୍ୟ ସୁରକ୍ଷା ଟିମ୍(CMC Raid At Different Food Stalls) । ଶୁକ୍ରବାର ଦିନ ଟିମ୍ ଏହି ଚଢାଉ କରି ବିଭିନ୍ନ ଷ୍ଟ୍ରିଟ ଫୁଡ଼ ଯେପରି ଚାଟ୍, ଗୁପଚୁପ୍, ଆମିଷ ଫାଷ୍ଟ ଫୁଡ଼, ଦହିବରା ଇତ୍ୟାଦି ଖାଦ୍ୟର ମାନ ଯାଞ୍ଚ କରିଛି । ବିଶେଷକରି ସନ୍ଧ୍ୟା ସମୟରେ ଏହିସବୁ ରାସ୍ତକଡ ଖାଦ୍ୟର ଚାହିଦା ବେଶୀ ରହିଥାଏ । ଅନ୍ୟାନ୍ୟ ରେସ୍ତୋରାଁ ଅପେକ୍ଷା ଦାମ୍ କମ୍ ଥିବାରୁ ଲୋକେମାନେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ତେଣୁ ସୁରକ୍ଷା ଦୃଷ୍ଟିରୁ କଟକ ଦୋଳମୁଣ୍ଡେଇ ନିକଟରେ ଷ୍ଟ୍ରିଟ ଫୁଡ଼ ବ୍ୟବସାୟ ସ୍ଥଳରେ ପହଞ୍ଚି ପାଖାପାଖି 50ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କ ଖାଦ୍ୟ ଯାଞ୍ଚ କରିଛି ଖାଦ୍ୟ ସୁରକ୍ଷା ଟିମ୍ ।
ସେଥିମଧ୍ୟରୁ ଅନେକ ବ୍ୟବସାୟୀଙ୍କ ଲାଇସେନ୍ସ ନଥିଲା ବେଳେ ଅନେକଙ୍କ ଖାଦ୍ୟ ନିମ୍ନମାନର ବୋଲି ଟିମ୍ ସ୍ପଷ୍ଟ କରିଛି । ଏହାସହିତ ସିଏମସି ଅଧିକାରୀ ନିମ୍ନମାନର ତଥା ଅନେକ ପରିମାଣର ଅସ୍ବାସ୍ଥ୍ୟକର ଷ୍ଟ୍ରିଟ ଫୁଡ଼ ନଷ୍ଟ କରିଛନ୍ତି । ତେବେ ଆଗମୀ 48 ଘଣ୍ଟାରେ ପଞ୍ଜୀକରଣ କରିବା ସହ ଏପରି ନିମ୍ନମାନର ଖାଦ୍ୟ ବିକ୍ରି ନ କରିବାକୁ ବ୍ୟବସାୟୀଙ୍କୁ ତାଗିଦ କରିଛି ଖାଦ୍ୟ ସୁରକ୍ଷା ଟିମ୍ ।