କଟକ: ମ୍ୟାଚ୍ ବେଲ୍ ବାଜିବା ପରେ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଜୁନ୍ ୧୨ ତାରିଖ ସନ୍ଧ୍ୟା ୭ଟାବେଳେ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆରମ୍ଭ ହେବା ଟି୨୦ ମୁକାବିଲା ।
ବାରବାଟୀରେ ମ୍ୟାଚ୍ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ OCA ସମ୍ପାଦକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଓସିଏ ସମ୍ପାଦକ ଓ ସଭାପତି ଗତକାଲି(ସୋମବାର) ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଲ୍ ବଜାଇବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ମ୍ୟାଚ ସମୟରେ ଉପସ୍ଥିତ ରହିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଓସିଏ । ତେବେ ମୁଖ୍ୟମନ୍ତ୍ରୀ ଏଥିପାଇଁ ରାଜି ହୋଇଥିବା ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି ।
ଆସନ୍ତା 12 ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-20 ମ୍ୟାଚ । ମ୍ୟାଚ ପାଇଁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ବାରବାଟୀରେ ଟି-20 ମ୍ୟାଚ ଦେଖିବା ପାଇଁ ସୋମବାର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ନବୀନ ନିବାସରେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ହସ୍ତାନ୍ତର କରିଛନ୍ତି ।
ଶାନ୍ତିଶୃଙ୍ଖଳାର ସହ ଟିକେଟ ବିକ୍ରି କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ବାବଦରେ ଓସିଏ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ବାରବାଟୀ ଷ୍ଟାଡିୟମ ଗସ୍ତ କରିଥିଲେ । ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାବଦରେ ପଚାରି ବୁଝିଥିଲେ ।