କଟକ:ଖ୍ରୀଷ୍ଟ କଲେଜର +2 କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାରେ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ଭଉଣୀଙ୍କୁ ଘାରିଲା ଗିରଫଦାରୀ ଭୟ । ଉଭୟ ଆଜି ହାଇକୋର୍ଟର ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ରହିଛି । ଜଗତପୁର ଥାନାରେ ଦାୟର ମାମଲାରେ ଗିରଫଦାରୀକୁ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ଉଭୟ ।
ଗତକାଲି ଏହି ଘଟଣାରେ କୌଶଳ ପ୍ରାଧନ ଓ ଦିବ୍ୟରଞ୍ଜନ ବେହେରା ନାମକ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ । ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଦୁଇ ଅଭିଯୁକ୍ତ ତୁଷାରଙ୍କୁ ଦୀର୍ଘ ଦିନ ଧରି ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ଗତ ଅଗଷ୍ଟ ମାସ 3 ତାରିଖ ଦିନ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ ଭଉଣୀ ତୁଷାରଙ୍କୁ ଇଣ୍ଡୋର ଷ୍ଟାଡିୟମ ନିକଟକୁ ଡକାଇଥିଲେ । ସେଠାରେ ଏହି ଦୁଇ ଅଭିଯୁକ୍ତଙ୍କ ସହ ମିଶି ନିର୍ଯାତନା ଦେବା ସହ ମାଡ଼ ମାରିଥିଲେ । ଏହା ପରେ ତୁଷାର ମାନସିକ ଭାରସାମ୍ୟ ହରାଇ ଗତ ଅଗଷ୍ଟ 3 ତାରିଖରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ପ୍ରାଥମିକ ଭାବେ ଜାଣିବାକୁ ପାଇଛି ପୋଲିସ । ଅଗଷ୍ଟ 5 ତାରିଖରେ ତୁଷାରଙ୍କ ମୃତଦେହ ଯୋବ୍ରା ବ୍ୟାରେଜ ନିକଟରୁ ମିଳିଥିଲା ।