କଟକ: ଶିଶୁ ସୁରକ୍ଷା ଦିଗରେ ବିକଶିତ ହେଉଛି କଟକ ଜିଲ୍ଲା(Childrens are more secure in cuttack says zilla parishad chairman)। ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା କଟକର 14 ବ୍ଲକରେ ଶିଶୁ ମାନଙ୍କ ସ୍ଥିତିରେ ବେଶ ସୁଧାର ଆସିଛି । ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି । ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନଟିଏ ବୈଠକରେ ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସିଡବ୍ଲୁସି ଓ ଅନ୍ୟାନ୍ୟ ବିଭାଗର ଉଦ୍ୟମରେ ଏହି ଅଭିଯାନ କଟକ ଜିଲ୍ଲାରେ ସଫଳ ଦିଗରେ ଅଗ୍ରସର ହେଉଛି । ତେବେ ରେଟିଂ ଅନୁସାରେ କଟକର ସ୍ଥାନ ଏବେ ଅନେକ ଜିଲ୍ଲା ମାନଙ୍କ ଠୁ ଆଗରେ ରହିଛି । ପିଲାଙ୍କ ନିମନ୍ତେ ଅଙ୍ଗନବାଡିରେ ପାଠ୍ୟକ୍ରମ, ଖାଦ୍ୟ, ପାନୀୟ, ପୋଷାକ ବିତରଣ, ସ୍ୱାସ୍ଥ୍ୟ ଆଦି ଦିଗ ଉପରେ ବେଶୀ ଫୋକସ କରୁଛନ୍ତି ରାଜ୍ୟ ସରକାର ।
ଆଜିର ଶିଶୁ କାଲିର ଭବିଷ୍ୟତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଦୃଢ଼ତାର ସହିତ ଏହି ତମାମ କାର୍ଯ୍ୟକୁ ସୂଚାରୁ ରୂପେ ପାଳନ କରୁଛି । ଏହି ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଠକରେ କଟକ ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ପରିଷଦ ସିଡବ୍ଲୁସି, କମିଶନରେଟ ପୋଲିସ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶିଶୁ ହେଉଛନ୍ତି ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ । ସେମାନଙ୍କର ଅଧିକାର ସମୂହର ସୁରକ୍ଷା ଆବଶ୍ୟକ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଏକାନ୍ତ ଆବଶ୍ୟକ ।