କଟକ: ଫୁଟିଛି ଭଳିକି ଭଳି କେତେ ପ୍ରଜାତିର ଫୁଲ । ରଜନୀଗନ୍ଧା, ଗେଣ୍ଡୁ, ଜାରବେରା, ପିଟୁନିଆରେ ଭର୍ତ୍ତି ହୋଇଛି ଛୋଟିଆ ସ୍ଥାନ । ଫଳରେ ଅତି ସୁନ୍ଦର, ଆକର୍ଷଣୀୟ ଫୁଲ ଗଛ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଶୋଭା ବର୍ଦ୍ଧନ କରୁଛି । ଏହି ବିଭାଗରେ ଥିବା ସବୁଜ ଘର ଭିତରେ ଏପରି ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି । ବିନା ମାଟିରେ ଗଛ ଲାଗିଥିବା ବେଳେ କେବଳ ପାଣିରେ ବଞ୍ଚିଛି ଗଛ । ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସରଙ୍କ କହିବା ଅନୁଯାୟୀ ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା ହାଇଡ୍ରୋପୋନିକ ପ୍ରକଳ୍ପର ଏହା ଅଂଶବିଶେଷ ।
ମାଟିରୁ ପାଉଥିବା ସମସ୍ତ ପୃଷ୍ଟିସାର କୃତିମ ଭାବରେ ପାଣି ମାଧ୍ୟମରେ ପହଂଚାଯାଉଛି ଏହି ଗଛଗୁଡିକ ପାଖରେ । ଆଉ ବଞ୍ଚିବା ପାଇଁ ଆବଶ୍ୟକ ଥିବା PH, TDS, ECS ସ୍ତରକୁ ବି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଉଛି । ଏହାଛଡା ସବୁଜ ଘରର ତାପ ନିୟନ୍ତ୍ରଣ କରିବା ସହ ବାୟୁର ଆଦ୍ରତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ସେଥିପାଇଁ ଉତ୍ପାଦନ ମଧ୍ୟ ବହୁତ ଅଧିକ ହେଉଛି । ସରକାରୀ ସ୍ତରରେ ମଧ୍ୟ ଏହି ପ୍ରକାର ଚାଷ ପାଇଁ ମିଳୁଛି ବହୁ ପ୍ରୋତ୍ସାହନ ସହିତ ସହାୟତା ରାଶି । ବିଦେଶରେ ତଥା ବିକଶିତ ଦେଶଗୁଡିକରେ ଏଭଳି କୃଷି ପ୍ରଣାଳୀକୁ ଅଧିକ ଭାବରେ ଆପଣେଉଛନ୍ତି ଚାଷୀ । ଖାଲି ଫୁଲ ନୁହେଁ ବରଂ ପନିପରିବା ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁକିଛି ଉତ୍ପାଦିତ ହୋଇପାରିବ ହାଇଡ୍ରୋପୋନିକ ପ୍ରଣାଳୀରେ ।