କଟକ:ସିଏମସିର ଫଳକ ରାଜନୀତି । ସ୍ୱାୟତ ଶାସନ ଦିବସରେ ଅନେକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ମନ୍ତ୍ରୀ, ମେୟର, କମିଶନର । ହେଲେ ଦୁର୍ଭାଗ୍ୟର ବିଷୟ ଅନେକ ପ୍ରକଳ୍ପର ଫଳକରେ ନାହିଁ ବିଜେପି କର୍ପୋରେଟରଙ୍କ ନାମ । ଯାହାକୁ ନେଇ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସିଏମସି ଉପରେ ବର୍ଷିଛି ବିଜେପି । ଯଦି କଟକ ମହାନଗର ନିଗମ ପ୍ରକଳ୍ପ ଉଦ୍ଘାଟନ କରିବ ତେବେ ସେଥିରେ ସ୍ଥାନୀୟ କର୍ପୋରେଟରଙ୍କ ସ୍ଥାନ ରହିବା ଦରକାର ବୋଲି କହିଛି ବିଜେପି ।
କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି କି, ‘‘କଟକ ମେୟର ଓ କମିଶନର ଯେଉଁ କାର୍ଯ୍ୟ କରିଛନ୍ତି ତାହା ସମ୍ପୂର୍ଣ୍ଣ ଘୃଣ୍ୟ ରାଜନୀତିକୁ ଇଙ୍ଗିତ କରୁଛି । ତେଣୁ ଆଗାମୀ ଦିନରେ ଏହି ଦିଗରୁ ନିବୃତ୍ତ ରହିବ । ନଚେତ୍ ଏହାର କଡା ଜବାବ ସିଏମସିକୁ ଦିଆଯିବ’’। ସୂଚନାନୁସାରେ କଟକ ମହାନଗର ନିଗମ ତରଫରୁ ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ହୋଇଥିବା ଫଳକରେ ପାତରଅନ୍ତର ନୀତି ଦେଖିବାକୁ ମିଳିଛି ।