କଟକ:ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଆଜି ଜନ୍ମ ଜୟନ୍ତୀ । ପ୍ରଦେଶକୁ ଶିଳ୍ପ ସମ୍ରୁଦ୍ଧ କରିବା ଥିଲା ତାଙ୍କ ଲକ୍ଷ୍ୟ । ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ ଉତ୍କଳ ଗୌରବ ମଧୂସୁଦନ ଦାସ ।ଉଭୟ ପୁରୁଷ ଓ ମହିଳାଙ୍କ ଉନ୍ନତି ପାଇଁ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ ମଧୁବାବୁ । ବିଶେଷ କରି ଓକିଲାତିରେ ମହିଳାଙ୍କୁ ସୁଯୋଗ ଦେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେତେବେଳେ କେବଳ ପୁରୁଷମାନେ ହିଁ ଓକିଲାତି କରିପାରିବେ ବୋଲି ନିୟମ ରହିଥିଲା । କିନ୍ତୁ ମଧୁବାବୁ ନିଜେ ମକଦ୍ଦମା କରି ମହିଳାଙ୍କୁ ସୁଯୋଗ ଦେବାପାଇଁ ବ୍ୟବସ୍ଥା କରିଥିଲେ ।
ଓଡ଼ିଶା ପାଇଁ ମଧୁବାବୁଙ୍କୁ ଭଗବାନ କୁହାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ। "ଆମେ ଭଗବାନଙ୍କ ଦ୍ଵାରା ସୃଷ୍ଟି । ଭଗବାନ ଆମକୁ ସୃଷ୍ଟି କରିବା ପରେ ଆମର ଗଠନରେ ଯେଉଁମାନେ ସହାୟକ ହୋଇଛନ୍ତି ସେମାନେ ହେଉଛନ୍ତି ପ୍ରେରଣାଦାୟୀ । ପ୍ରତ୍ୟେକ ବ୍ୟକ୍ତିତ୍ୱ କିଛି ଗଠନର ଶକ୍ତି ନେଇ ଆସିଛନ୍ତି । ସେହି ଗଠନର ଶକ୍ତି ପାଇଁ ପ୍ରେରଣାର ଆବଶ୍ୟକତା । ବ୍ୟକ୍ତିତ୍ୱର ସୃଷ୍ଟିରେ ମଧୁବାବୁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ଆମେ ପ୍ରଭୁ ଜଗନ୍ନାଥ, ଆହ୍ଲା ଓ ଯୀଶୁଙ୍କୁ ବିଶ୍ୱାସ କରୁଛେ ଆଉ ଭଗବାନ ବୋଲି ମାନୁଛେ ଏବଂ ପ୍ରାର୍ଥନା ମଧ୍ୟ କରୁଛେ । ବ୍ୟକ୍ତିତ୍ୱ ସୃଷ୍ଟି ପାଇଁ ଯେଉଁ ଭଗବାନ ହେଲେ ସେ ଭଗବାନ ଅନ୍ୟ କେହି ନୁହନ୍ତି ବରଂ ପଞ୍ଚସଖା ଏବଂ କିଛି ମହାରାଜା । ତେବେ ସେମାନଙ୍କ ମଧ୍ୟରେ ମଧୁବାବୁ ହେଉଛନ୍ତି ଜଣେ ଅନନ୍ୟ ବ୍ୟକ୍ତିତ୍ୱ । ତାଙ୍କ ଉଦ୍ୟମ ପ୍ରଶଂସନୀୟ ।"