କଟକ: ମହାମାରୀ କରୋନାରେ ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୮ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି। ମହାମାରୀ କରୋନାରେ ବାପାମା’ଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ସରକାର ଆଣିଛନ୍ତି ଆର୍ଶୀବାଦ ଯୋଜନା । ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ କୋଭିଡ ମୃତକ ପରିବାର ସଦସ୍ୟଙ୍କୁ 50 ହଜାର ଲେଖାଏଁ ସହାୟତା ମିଳିବ ।
କୋଭିଡରେ ମୃତକଙ୍କ ପରିବାର ନିକଟରେ ପହଞ୍ଚିବ ବିଜେଡି କିନ୍ତୁ ବିଭିନ୍ନ ନଥିପତ୍ର ଅଭାବ ଓ କିଛି ଅସୁବିଧା ପାଇଁ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ପରିବାର । ଫଳରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ, ନେତା, ବିଧାୟକ ଓ ସାଂସଦଙ୍କୁ ଦେଇଛନ୍ତି ବଡ ନିର୍ଦ୍ଦେଶ । ଦଳୀୟ ବିଧାୟକ ସାଂସଦ ଏହି ସମସ୍ତ ପରିବାର ପାଖକୁ ଯାଇ ଆବଶ୍ୟକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକ ପ୍ରତିନିଧି ମାନେ ପୀଡିତ ପରିବାର ଅଭାବ ଅସୁବିଧା ବୁଝିବା ସହ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ( ବୁଧବାର) ରାଜ୍ୟସଭା ସାଂସଦ ସୁବାସ ସିଂ କଟକରେ 5 ଟି ପରିବାରକୁ ସାକ୍ଷାତ କରିଛନ୍ତି । ସୁବାସ କହିଛନ୍ତି କୋଭିଡରେ ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରର ମାନସିକ ସ୍ଥିତି ଏବେ ଭଲ ନାହିଁ । ସେମାନେ ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆସି ସମସ୍ତ କାମ କରିବା ସମ୍ଭବ ନୁହେଁ । ତେଣୁ ଆମେ ତାଙ୍କ ପାଖକୁ ଯାଇ ସର୍ବନିମ୍ନ ସହାୟତା ଓ ସମର୍ଥନ ଦେବାର ଜରୁରୀ ଅଛି ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ସହ ଦୁଇଟି ପିଲା ଥିଲେ ମାସକୁ ୨୫ ଶହ ଟଙ୍କା ଗୋଟିଏ ପିଲା ଥିଲେ 15 ଶହ ଟଙ୍କା ମିଳିବ । ଏହାସହ ଘରୋଇ ସ୍କୁଲରେ ପଢୁଥିଲେ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଫି ଦେବେ ରାଜ୍ୟ ସରକାର। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ଯଦି ବାସଗୃହ ନଥିବ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବ। ମୃତକଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ