କଟକ: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଭାର ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟର ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବାକୁ ଚେଷ୍ଟା କରାଯିବ । ଏଥିସହ ଆଇନଶୃଙ୍ଖଳା ସର୍ବଦା ବଜାୟ ରଖିବା ଆମ ପ୍ରାଥମିକତା ରହିବ ବୋଲି ନୂଆ ଡିଜିପି ବିଜୟ ଶର୍ମା କହିଛନ୍ତି ।
ଏ ନେଇ ଗୁରୁବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ପୋଲିସ ବିଭାଗର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଭିଡ । ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଉଭୟ ବିଦାୟୀ ଡିଜି ଏବଂ ନୂଆ ଡିଜିପିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଡିଜିପିଙ୍କ ଅଫିସରେ ବିଧିବଦ୍ଧ ଭାବେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଅତିରିକ୍ତ ଭାବେ ଡିଜିପି ଭାର ନେଇଥିବା ବିଜୟ ଶର୍ମାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ ।
ଏହା ପରେ ନିଜ ପ୍ରତିକ୍ରିୟାରେ ବିଜୟ ଶର୍ମା କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ତାଙ୍କର ପ୍ରଥମ ପ୍ରାଥମିକତା ରହିବ । ଏଥିସହ ନକ୍ସଲ ଦମନ କ୍ଷେତ୍ରରେ ଚାଲିଥିବା ପ୍ରକ୍ରିୟା ମଧ୍ୟ ନିୟମିତ ରୂପେ ଜାରି ରହିବ । ଯାହାକି ନକ୍ସଲ ଉପଦ୍ରବ ଅଞ୍ଚଳର ବିକାଶ ପାଇଁ ଜରୁରୀ ରହିଛି । ପୋଲିସକୁ ଲୋକାଭିମୁଖୀ, ଦାୟିତ୍ବବାନ, ସମ୍ବେଦନଶୀଳ ଓ ମାନବୀୟ କରିବା ପ୍ରଚେଷ୍ଟା ସହ ମୁଖ୍ୟମନ୍ତ୍ରୀଙ୍କ 5 - T ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟ କରିବ ବୋଲି ସେ ମତ ଦେଇଥିଲେ ।