କଟକ: ଆଜି ଥିଲା ବଲିଉଡ ସେହେନ୍ସା ବିଗ ବିଙ୍କ ଜନ୍ମଦିନ । ଏନେଇ ଦେଶ ଓ ବିଦେଶରେ ଥିବା କୋଟି କୋଟି ଫ୍ୟାନ୍ସଙ୍କ ତରଫରୁ ଛୁଟୁଛି ଶୁଭେଛାର ସୁଅ । ହେଲେ ଏହି ସୁଅ ଭିତରେ ବାଦ ପଡିନାହାନ୍ତି ସିଲଭର ସିଟିର ଧନେଶ୍ବର ସେଠୀ । ନିଜର ବ୍ୟସ୍ତବହୁଳ କର୍ମକ୍ଷେତ୍ରରୁ ସମୟ ବାହାର କରି ଧୁମଧାମରେ ପାଳନ କରିଛନ୍ତି ବିଗ ବିଙ୍କ ଜନ୍ମଦିନ।
ତେବେ ମନରେ ପ୍ରଶ୍ନ ଆସୁଥିବ କିଏ ସେ ଧନେଶ୍ବର । ଆଉ କଣ ତାଙ୍କ ଘର ଠିକଣା । ଆଜ୍ଞା ହଁ, ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଧନେଶ୍ବର ସେଠୀ ବିଗ ବି ଙ୍କ ଜଣେ ଫ୍ୟାନ। 18 ବର୍ଷ ବୟସରୁ ବିଗ ବିଙ୍କ ଅଭିନୟ ଧନେଶ୍ବରଙ୍କୁ କରିଥିଲା ଘାଇଲା । ସେହିଦିନ ଠୁ ସେ ପାଲଟି ଗଲେ ଅମିତାଭଙ୍କ ବଡ଼ ଫ୍ୟାନ । ଆଉ ଜୀବନରେ ଅମିତାଭ ଵଚ୍ଚନଙ୍କ ଛଡା ଆଉ କାହା ଫିଲ୍ମ ଦେଖିବେନି ବୋଲି ପ୍ରତିଶ୍ରୁତି ବଦ୍ଧ ହେଲେ ସେ ।
ବିଗ ବିଙ୍କ ଫିଲ୍ମ ସେହେନସାହା , ସୋଲେ ,ଦିୱାର , ଡ଼ନ ଓ ଜଞ୍ଜିର ଭଳି ଦମଦାର ଫିଲ୍ମକୁ ପ୍ରେକ୍ଷାଳୟ ଓ ଘରେ ସେ ଅନେକ ଥର ଦେଖିଛନ୍ତି । ତେବେ 20 ବର୍ଷ ଧରି ଅମିତାଭ ଵଚନଙ୍କ ଜନ୍ମଦିନରେ କେକ କାଟି ବିଗ ବିଙ୍କୁ ଫଟୋରେ ଖୁଆଇବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ଖୁଆନ୍ତି ସେ । ତେବେ ଆଜି ଏହି ମହାନ ବ୍ୟକ୍ତିଙ୍କ ଜନ୍ମତିଥିରେ ବିଗ ବିଙ୍କ ଦୀର୍ଘାୟୁ କାମନା କରିବା ସହ କେକ କାଟି ସମସ୍ତଙ୍କୁ ମିଠା ଖୁଆଇଛନ୍ତି ଧନେଶ୍ବର ।